Unknown

ପାଣି ଧୋବଣୀ ଫାର୍ଶ ବା ଆଦର୍ଶ ଶିକ୍ଷା

ବାଳକୃଷ୍ଣ ଗ୍ରନ୍ଥାବଳୀ

ଶ୍ରୀ ବାଳକୃଷ୍ଣ ମହାନ୍ତି

 

ସୂଚୀ ଛାନ୍ଦ

ଦେଖ ହେ ଭାଇ ଏ ଅମଜା ମଜା ।

      ତା ସଙ୍ଗେ ଅଛଇ ଅବୁଝା ବୁଝା ॥

ସଙ୍ଗୀତ ଉଦ୍ୟାନେ ଯେ ଥିଲେ ମାଳି ।

      କାଳସ୍ରୋତେ ସର୍ବେ ଗଲେଣି ଚଳି ॥

 

ଉଦ୍ୟାନ ଦ୍ଵାରଟି ହୋଇଲା ମେଲା ।

      ଉଜାଡ଼ନ୍ତି ତାକୁ ଗାୟତ ପିଲା ॥

ଚମ୍ପାଫୁଲ ସିନା ରାଧାଙ୍କ ହାର ।

      କେ ଦେଲା ତାହାକୁ ବେଶ୍ୟା ଗଳାର ॥

 

ମଲ୍ଲିଫୁଲ ହାର ଶ୍ୟାମଙ୍କୁ ଶୋଭା ।

କେ ନେଇ ଖୋସିଲା (ନିଜ) ରମଣୀ ଗଭା ॥

ଯେଉଁ ରୋଗକୁ ଯେଉଁ ମହୌଷଧ ।

      ନ ଜାଣି କହିଲା ଔଷଧ ମନ୍ଦ ॥

 

ସେ ଯେଉଁ ପାତ୍ରର ଅଟଇ ଯୋଗ୍ୟ ।

      ରଖି ନ ଜାଣି ବୋଇଲା ଅଯୋଗ୍ୟ ॥

ବଗିଚା ଚୋରଙ୍କ ଦେଖ ଫୁଟାଣି ।

      କହିଲେଣି ଆମ୍ଭେ ଦେଇଛୁ ପାଣି ॥

 

ଆମ୍ଭ ଗଛ ବୋଲି କଲେଣି ଗର୍ବ ।

      (କିନ୍ତୁ) କରି ନ ପାରିବେ ବୃକ୍ଷକୁ ଠାବ ॥

ପାଣି ପରି ବୋହି ଗଲେଣି କେତେ ।

      ତାଙ୍କ ବାପ ଅଜା ଆବର ଯେତେ ॥

 

ଉଠିଲେଣି କେତେ ମହତ ମାଳି ।

      ସେ ଫୁଲରୁ ଆଣୁ ଅଛନ୍ତି ତୋଳି ॥

ସେ ଫୁଲ ଯେପରି ହୋଇବ ଗୁନ୍ଥା ।

      କରୁଛନ୍ତି ବସି କେତେକ ପନ୍ଥା ॥

 

ଆମ ଦେଶରେ ସେ ହେଲେଣି ଜଣା ।

      ବ୍ରଜବାସୀ ଆଦି ମନମୋହନା ॥

ଅମଜା ହୋଇଛି ଏଇଠି ମଜା ।

      ଅବୁଝିଲା ଲୋକମାନଙ୍କୁ ବୁଝା ॥

(ବାଳକୃଷ୍ଣ)

————————

 

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

( ପଥ-ଲୁଗା ଗଣ୍ଠିରା ଘେନି ପାର୍ବତୀ ଓ ରଘୁଆ ନଦୀକୁ ଯାଉଥିଲେ )

 

ରଘୁଆ-

କି, ଆଜି କାଲି ତ ଭାରି ଛଇ !

ପାର୍ବତୀ–

ନିଅଂଶିଆ ତୁ ମରୁ ନାହୁଁ ! ଆରେ ଯୋଗିନିଖିଆ, ମୋ ଧନରେ ମୁଁ ଛଇ ହେଲି, ମୋ କମେଇରେ ମୁଁ ଛଇ ହେଲି, ତୋ ହାଡ଼ ଜଳୁଛି କିଆଁ ? ମୁଁ ତ ତୋତେ ମାଗିବାକୁ ଯାଉନାହିଁ, କି ତୁ କୋଉଠି ପୁଳାଏ ରଖି ଦେଇଛୁ ଚୋରାଇ ଆଣୁନାହିଁ ! ମୁଁ ଆଣୁଛି ଯା’ଠଉଁ ତା ଠଉଁ । ମାଗୁଛି ଯାକୁ ତାକୁ, ଯା ଜିନିଷରେ ଛଇ ହେଉଛି ତା ଜିନିଷ; ତୁ ଖଣ୍ଡିଆ କି ଘର କରୁଛୁ, କି ଧନ ସାଇତିଛୁ ଯେ, ଖାଲି ତୋରି ବୋହି ନେଇ ଯାଉଛନ୍ତି । ବୁଝିଲୁ, ମୋ ଧନରେ ମାସେ ହେଲା ‘ବିଳାସ’ କରୁଛୁ । ଯଦି ମୋ କଥାରେ ରହିବୁ, ମୋ ବୁଦ୍ଧି ପ୍ରତି ପାଳି ଚଳିବୁ, ତେବେ ସେ ‘ବିଳାସ’ ‘‘ଅମର’’ ହୋଇଥିବ ।

 

 

ରଘୁଆ–

ବାପରେ ତୋଡ଼ ! ଆଚ୍ଛା କହିଲୁ, ଏ ଛଇ ହେବା ଜିନିଷ କାହାଠାରୁ ଆଣିଛୁ ?

 

 

ପାର୍ବତୀ–

ଆରେ ଖଣ୍ଡିଆ, ଚିହ୍ନିବୁ ବା କାହୁଁ, ଜାଣିବୁ ବା କାହୁଁ ? ମୁଁ ଦୀନକୃଷ୍ଣ, ବଳରାମ, ପୀତାମ୍ବର, ବିକ୍ରମ, ବିଶି, ନୀଳାମ୍ବର, କବିସୂର୍ଯ୍ୟ, ଅଭିମନ୍ୟୁ, ଉପେନ୍ଦ୍ର ବାବୁ ପ୍ରଭୃତିଙ୍କ ଧନରେ ଛଇ ହୋଇଛି । ଏମାନଙ୍କ ସେବାକରି ତାଙ୍କମାନଙ୍କ ଜିନିଷ ନାଇବାରୁ ସିନା ମୋତେ ଟିକିଏ ଅନାଉଛନ୍ତି–

 

 

ରଘୁଆ–

ହଇଲୋ, ମୋ ଜିନିଷ କଣ ଜମା ଟିକିଏ ନାଇନାହୁଁ ?

 

 

ପାର୍ବତୀ–

ହଇରେ, ତୋ ଜିନିଷ କଣ ମ ? ଯାକୁ ତିନିଶ ଟଙ୍କା ମିଳେ, ସେ କଣ ତିନି ପାହୁଲା ପାଏ ନାହିଁ ? ଯେ କ୍ଷିରୀ ପୁରୀ ଖାଏ, ତାକୁ କଣ ପଖାଳ ଗଣ୍ଡାଏ ଅଭାବ ଯେ, ସେ ଖାଲି ପର ହାଣ୍ଡି ଦରାଣ୍ଡୁଥାଏ । ଗାତପଶା, ବୁଦ୍ଧି କାଢ଼ୁଛୁ ?

 

 

ରଘୁଆ–

ତେବେ କଣ ତୁ ମୋର କିଛି ଧାରୁନାହୁଁ ?

 

 

ପାର୍ବତୀ–

ନା, କିଛି ଧାରେ ନାହିଁ । ଯା, ସହରଯାକ ଆଚ୍ଛା ଆଚ୍ଛା ବାବୁ ଭାୟାମାନଙ୍କୁ ପଚାରି ଆସିବୁ, କିଏ କାହାର ଧାରେ । (ଗମନୋଦ୍ୟତ)

 

 

ରଘୁଆ–

(ସ୍ୱଗତ) ଏ ତ ପକା ମାଇକିନିଆ, ୟା ବାପ ଥାଉଁ ଥାଉଁ ଯଦି ବାହାଟା ହୋଇ ପଡ଼ିଥାନ୍ତି ତ, ଅଇଛିକା ମୋତେ ଫାଙ୍କି ମାରି ପାରନ୍ତା ନାହିଁ । କଣ କରିବି ? ଖୋସାମଦ ବରାମଦ କରି ବିପଦ ନ କହିଲେ ଆଜି ତ ପଡ଼ିକାଟ ହୋଇଯିବ । (ହାତ ଘେରାଇ)

 

 

ରଘୁଆ–

ଗୀତ

 

(କୁ) ରୁଷି ଯାଆନା ମୋ ଦୋଷ ହେଲେ ହେଲା,

 

 

ପାର୍ବତୀ–

(ଖେଣ୍ଟା) ପଛରୁ ଡାକୁଛୁ କିଆଁ ଭଲା ?

 

 

ରଘୁଆ–

ନାଲିଆଖି ମୋତେ ଦେଖା ନାହିଁ ।

 

ମୁଁ ତ କାଇଲି ମାଗୁଛି ଚାନ୍ଦମୁହିଁ !

 

 

ପାର୍ବତୀ–

ଆରେ ଚୂଲିପଶା ଛାଡ଼ି ଦେ ମୋ ଆଶା

 

ଯେତେଦିନ ଯାହା (ଥିଲା) ହୋଇଗଲା ।୧।

 

 

ରଘୁଆ–

ତୋ ବାପ କରିଥିଲା ଶପଥ,

 

ଛନ୍ଦି ଦେବାକୁ ତୋ ହାତେ ମୋ ହାତ ।

 

 

ପାର୍ବତୀ–

ସେ କଥାକୁ ତୁହି ଭାବିଲୁ ତ ନାହିଁ

 

(ପର) ଶିକ୍ଷାରେ ପଡ଼ିଲୁ ବାରବୁଲା ।୨।

 

 

ରଘୁଆ–

ମୁଁ ପରଶିକ୍ଷା ପାଇବା କଥା ତୁ କେମନ୍ତେ ଜାଣିଲୁ ?

ପାର୍ବତୀ–

କିରେ, ମୁଁ ପରା ତୋତେ ଏ ସହରରେ ଦେଖି ଆଇଛି ପହିଲୁ ।

 

 

ରଘୁଆ-

ତେବେ ସେଥିରେ ମୋର ଭୁଲ ।

ପାର୍ବତୀ–

ଛତରଖିଆ ଯା, ତେବେ ଛତରା ହୋଇ ବୁଲ । (ପ୍ରସ୍ଥାନ)

 

 

ରଘୁଆ–

ମୁଁ ଭାରି ବେକୁବି କଲି । ସବୁ ବିଗାଡ଼ିଲି । ସେ ମୋତେ କିଛି କହୁ ନ ଥିଲା, ମୁଁ ସେ ଚୋଠାମାନଙ୍କ କୁହାରେ ପଡ଼ି ଛାଏଁ ଛାଏଁ ତା ସହିତ କଳିଗୋଳ ଲଗାଇ ବର୍ତ୍ତମାନ ହଇରାଣ ହେଲି । ଏଇଥିପାଇଁ କଥାରେ ଅଛି ପରା ‘‘ଆପଣା ବୁଦ୍ଧିରେ ଘାସ କାଟିବ ପଛେ, ପର ବୁଦ୍ଧିରେ ଘୋଡ଼ା ଚଢ଼ିବ ନାହିଁ ।’’ ଯାଏଁ ଫେରେ, ଥରେ ହେଲେ କୁହାବୋଲା କରିବି । (ପ୍ରସ୍ଥାନ)

————————

 

ଦ୍ୱିତୀୟ ଦୃଶ୍ୟ

( ଦୁଃଖିଶ୍ୟାମ ଓ ଜୟରାମ ପାଣି )

ଦୁଃଖି–

କିହୋ ଅପୂର୍ବ ! ଆଜି କାହିଁକି ଏକଲା ଏକଲି, କାହିଁ ଦୁଆରି ଭାଇ, ମଧୁଭାଇ କାହାନ୍ତି କି ? ଦେଖା ନାହାନ୍ତି ତ !

ଜଇ–

ହଁ, ଆସି ଥାଇ ଏକା, ଯିବା ଏକା ।

 

 

ଦୁଃଖି–

ହଇ ହେ, ତମ ମୁହଁଟା କାହିଁକି ଶୁଖିଯାଇଛି ?

ଜଇ–

କେତେଆଡ଼ୁ କେତେକଥା ନେଇ ମନଟା ଟିକିଏ ବ୍ୟସ୍ତ ଅଛି ।

 

 

ଦୁଃଖି–

କଣ ଚାକିରି ? ସେ ତ ତାଳ ଗଛ ଛାଇ, ଆଜି ଅଛି କାଲି କି ନାହିଁ । ଆସ, ଟିକିଏ ୟାଡ଼େ ଆସ ।

ଜଇ–

କୁଆଡ଼େ ?

 

 

ଦୁଃଖି–

ଆସ, ଏ ଗୁଡ଼ିଆ ଦୋକାନକୁ ଆସ । ଟିକିଏ ବସି ଜଳଟୁଳ ଖାଇବା । କେଉଁ ଦିନଠୁ ତ ଦେଖାସାକ୍ଷାତ୍‍ ନ ଥିଲା -

ଜଇ–

ହଁ, ଡାକୁଛୁ ଯିବାକୁ ନାରାଜ ନୁହେଁ, କିନ୍ତୁ ଗୁଡ଼ିଆ ଦୋକାନରେ କଣ ଅଛି, କଣ ଖାଇବା ।

 

 

ଦୁଃଖି–

ଭଲ ପୁରୀ, ଲୁଚି, କଚୁରୀ, ତରକାରୀ, ଖିରମୋହନ, ରସଗୋଲା, ଖୁବ୍ ବଢ଼ିଆ ବଢ଼ିଆ ଜିନିଷ ଅଛି, ଆସୁନା ।

 

 

ଜଇ–

ଭାକ୍‌, ୟାକୁ କହନ୍ତି ବଢ଼ିଆ ? ଆରେ ଖାଇବାକୁ ଯେବେ ଦବୁ ଚାଲ ହୋଟେଲରେ ଚଉକି ପଡ଼ିଛି, ବେଞ୍ଚ ପଡ଼ିଛି, ଟେବୁଲ ସଜା ହୋଇଛି, ବାବୁପରି ବସିବା, ମଉଜ କରି ଖାଇବା, ଏ ଗୁଡ଼ିଆ ଦୋକାନରେ ଭଲ ହେବ ନାହିଁ ।

 

 

ଦୁଃଖି-

ତେବେ, ଏଠୁଁ ଖରିଦ କରି ନବା, ସେଠି ଖାଇବା ।

ଜଇ–

ସେଠି ତ ଆଲେ ଆଲେ ଜିନିଷ ଅଛି । ଶୁଣ, ପଲାଉ, ପାଉଁରୁଟି, ବିସ୍କୁଟ, କବାବ, କଟଲିସ, କାରି, ଏଠୁ ନବୁ କଣ ପୁରୀ ? ଛି, ଛି, ଆରେ ପାଉଁରୁଟି କଟା ହେଉଥିବ ଜୁସରେ ବୁଡ଼ୁଥିବ, ସେ ମଜାକୁ ପୁରୀ ଲୁଚି କେଉଁ ଗୁଣରେ ସରି ।

 

 

ଦୁଃଖି–

କଚୁରି ରସଗୋଲା, ଏ କଣ ଖରାପ ?

 

 

ଜଇ–

ତେମେଗୁଡ଼ାକ କଣ କଚୁରୀ, ଖିରମୋହନ, ରସଗୋଲା, ଦେଖେଇ ହଉଛ, ରାମ ରାମ ରାମ ରାମ ! କିରେ ଖଣ୍ଡେ ବିସ୍କୁଟ ହେଲେ ତିନିଖଣ୍ଡ କଚୁରୀକି ଗୋଡ଼ରେ ମଳି ଫୋପାଡ଼ି ଦେବ । ଆଉ ତୋର ବଢ଼ିଆ କଣ ନା ରସଗୋଲା, ଖିରମୋହନ, ଆରେ ଗୋଟାଏ ଅଣ୍ଡାକୁ ସେରେ ରସଗୋଲା ସରି ହେବ ନାହିଁ । ୟା ଛଡ଼ା ତ ଆଉ ଆଉ କେତେ ଅଛି, ଯଦି କମରରେ ପଇସା ଅଛି, ଚାଲ ସେଥିରୁ ପାଣ୍ଠିଏ ଖଣ୍ଡେ ନେଇ ଯିବା, ଏକାଠି ବସି ଖାଇ କରି ଉଠିଲାବେଳକୁ ଗୋଡ଼ ତିନି ପାଆରେ ପଡ଼ୁଥିବ । ସେତେବେଳେ ଧରାଟା ସରା ପ୍ରାୟେ ଦିଶୁଥିବ । ଆରେ ମୁଁ ଜାଣେ ସହରରେ ବସା କରିବ ତ ବେଶ୍ୟା ଘରେ, ଆଉ ରୋଷାଇ ବାସ କଣ, ସେ ତ ହୋଟେଲରେ ।

 

 

ଦୁଃଖି–

(ସ୍ୱଗତ) ନାହିଁରେ ବାବା, ୟା ସଙ୍ଗରେ ପଡ଼ିଲେ ଜାତି, କୁଳ, ମାନ, ମର୍ଯ୍ୟାଦା ସବୁ ନଷ୍ଟ, ଶେଷକୁ ପୁଣି ମରିବା କଥା । ଏଇ ବୁଦ୍ଧିରୁ ତ ବାରଯାଗାରୁ ମାଡ଼ ଖାଉଛି (ପ୍ରକାଶ୍ୟେ) ପାଣିଏ ! ମୁ ପରା ଜଗବନ୍ଧୁ ଆଶ୍ରିତ ଲୋକ, ସେ କଥାଗୁଡ଼ାକ କହନା-

 

 

ଜଇ–

ଜଗବନ୍ଧୁ କିଏ, ଜଗନ୍ନାଥ ? ତୁ କଣ ମୋ ଫାର୍ଶ ବହି ସବୁ ପଢ଼ି ନାହୁଁକି ? ଆରେ ଜଗନ୍ନାଥଙ୍କୁ ଦେଖିଲେ ଯେଉଁ ପୁଣ୍ୟ, ଗୋଟିଏ ବେଶ୍ୟାଠାରେ ସେତିକି ଲକ୍ଷଣ, ତେବେ ତୁ ମାଳି ଜପାରୁ କଣ ପାଇବୁ ?

 

 

ଦୁଃଖି–

(ସ୍ୱଗତ) ଏତ ଆଚ୍ଛା ଲୋକ ! ଠାକୁର, ଯେ କି ଜଗତର କର୍ତ୍ତା, ତାଙ୍କୁ ପୁଣି ବେଶ୍ୟା ସହିତ ତୁଳନା କରୁଛି ! ଏ କଣ ମଣିଷ ନା ଭୂତ ! (ପ୍ରକାଶ୍ୟେ) ପାଣିଏ ! ତୁମ୍ଭେ ପରା ବ୍ରାହ୍ମଣ, ପୁଣି କବି । ଆମ୍ଭେମାନେ ତୁମ୍ଭଠାରୁ ଉପଦେଶ ପାଇବା ଯୋଗ୍ୟ; ମାତ୍ର ତୁମ୍ଭେ ଯେଉଁ ଉପଦେଶ ଦେଉଛ, ତା ଭବସିନ୍ଧୁ ଚରଣେ ନୁହେଁ ଯେ ଭବ ବନ୍ଧନରେ ଦୃଢ଼ୀଭୂତ । ୟା ତ କେବେ ମୋ ଭାଗ୍ୟରେ ଘଟି ନାହିଁ କି ଘଟିବ ନାହିଁ ।

 

 

ଜଇ–

ଭାରି ତ ଅକଲ, ଆମେ ଜଣେ କବି, ବ୍ରହ୍ମା ବିଳିବିଳେଇଲା ପରି ଆମ୍ଭେ ଯାହା କହିବୁ ତା ବେଦର ଗାର । ଚାଲ, ହୋଟେଲକୁ ଚାଲ ।

 

 

ଦୁଃଖି–

ରଖ ତୋ କବିପଣିଆ, ତୋ ଘରେ ରଖିଆ । ମୁଁ ତ ଏମିତି କେତେଙ୍କୁ ଦେଖିଲିଣି ।

 

 

ଜଇ–

କିରେ, ତୋର ତ ଭାରି ଦିମାକ । ବଢ଼ି ବଢ଼ି ଭାରି ତ କହୁଛୁ ! ତୁ କେତେ କାଳର ମଣିଷ ଯେ, ମୋତେ ପାଠ ଶିଖେଇବୁ ? କିରେ ସାତ ଜନ୍ମ କି ଗଲେ ତୁ ମୋ ପରି ଲୋକଙ୍କୁ ଶିକ୍ଷା ଦେବୁ ? (ହାତଧରି ହୋଟେଲକୁ ଟାଣିବା)

 

 

ଦୁଃଖି–

(ଧକ୍‌କା ଦେଇ ହାତ ଛଡ଼ାଇ ଚାଲିଯିବା)

————————

 

ତୃତୀୟ ଦୃଶ୍ୟ

(ଦୋକାନ ପଟା ଉପରେ ଜଇପାଣି ମୁଣ୍ଡରେ ହାତ ଦେଇ ଉପବିଷ୍ଟ)

ମୋହିନୀବାବୁ–

ହଇହେ ପାଣିଏ ! ଆଉ ମନ କଷ୍ଟ କଲେ ଫଳ କଣ ? ବେଳ ହୁଁ ତ ସତର୍କ ହେଲ ନାହିଁ । ଯାହା ହେବାର ତ ହୋଇଗଲାଣି, ଏଣିକି ସେକଥା ପାଶୋରିପକା ।

 

 

ଜଇ–

ହଁ ପାଶୋରିବା କଥା ତ ! ଆଜି ପଠାଣଠାରୁ ମାଡ଼ ଖାଇଲି, ତଣ୍ଟିଆ ଖାଇଲି, ସେ ଅପମାନର ପ୍ରତିଶୋଧ ହେଲା ଯୋଡ଼େ ଲୁଗା ପାଞ୍ଚୁଟା ଟଙ୍କା, କାଲି ତ ସେହିପରି ଜଣେ ପାଣ କି କଣ୍ଡରା ଚୁଟି ଧରି ଦିପୁଞ୍ଜା ପକେଇବେ, ଆପଣଙ୍କ ପାଖରେ ଦଶଟା ଟଙ୍କା ଦେଇଯିବେ, ତେବେ ମୋର ଏଇଟା କଣ ରୋଜଗାର ବାଟ ?

 

 

ମୋହିନୀ–

ଆଚ୍ଛା, ପଅରିଦିନ ଯେ ଫଉଜଦାରୀ ହେଲା, ତାର ମୂଳ କାରଣ କଣ ?

 

 

ପାଣି–

ବାବୁ କିଛି ନାହିଁ, ମୁଁ, ଦୁଆରି ଭାଇ, ମଧୁ, ଦୁଃଖିଶ୍ୟାମ ମିଶି ବଜାରରେ ଯାଉଛୁଁ, ଦୁଃଖିଶ୍ୟାମ କହିଲା, ଗୁଡ଼ିଆ ଦୋକାନରେ ଜଳଖିଆ କରିବା ! ମୁଁ କହିଲୁ, ଗୁଡ଼ିଆ ଦୋକାନରେ ଜଳଖିଆ କରିବା ! ମୁଁ କହିଲି, ଗୁଡ଼ିଆ ଦୋକାନରେ ବସି ଗୋଟାଏ କଣ ଜଳଖିଆ କରିବା, ଯଦି କମରରେ ପଇସା ଅଛି, ହୋଟେଲକୁ ଚାଲ । ସେଠି ଟେବୁଲ ଚେୟାର ବେଞ୍ଚ ପଡ଼ିଛି, ବସି ଯାହା ଇଚ୍ଛା ଦିଲ୍ ଭରି ଖାଇନେବା, ଏଇ ନେଇ ତ ତକରାର ।

 

 

ମୋହିନୀ–

ପାଣିଏ ! ତୁମ୍ଭେ ବ୍ରାହ୍ମଣ କୂଳରେ ଜନ୍ମ ହୋଇ ଯେପରି ଅନ୍ୟାୟ ଓ ନୀଚ କାର୍ଯ୍ୟମାନ କରୁଛ, ସେଥିରେ ଛୋଟ ଲୋକଙ୍କଠାରୁ ଏପରିଭାବେ ଲାଞ୍ଛିତ ହେବା ତ ବିଚିତ୍ର ନୁହେଁ ।

 

 

ଜଇ–

ନ କହି ନ କହି ଖୁବ୍‌ ତ କହୁଛନ୍ତି !

 

 

ମୋହିନୀ–

ବ୍ରାହ୍ମଣର କାର୍ଯ୍ୟ ବେଦାଧ୍ୟୟନ, ଦେବାର୍ଚ୍ଚନ, ଯଜନଯାଜନ । ଏ ସବୁରେ ଯେ ଅପାରଙ୍ଗମ, ସେ ଭିକ୍ଷାଦ୍ୱାରା ଉଦର ପୂରଣ କରୁଛି । ସେଥିରେ କେହି ଦୋଷାରୋପା କରି ନ ପାରେ; ମାତ୍ର ତୁମ୍ଭେ ଏ ପାଖ ନା ସେ ପାଖ କେଉଁଆଡ଼ ନ ହୋଇ ସେ ସବୁ ଛାଡ଼ି ଚୂନ କାଳି ବୋଳି ହୋଇ ନାଚିଲ, ପୁଣି ଦିନାକେତେ ଏ ଆଡ଼େ ସେ ଆଡ଼େ ଓସ୍ତାତି କରି ବୁଲିଲ । ସେଥିରେ ଯେଉଁ ପୌରୁଷ କମାଇଲ, ତା ହାତେ ଜାଣନ୍ତି କି ନାଥେ ଜାଣନ୍ତି । ଏଇ ବୁଦ୍ଧି କରି ତ ଘରକୁ ଅନ୍ୟକୁ ଦେଇ ଏଣେ ତେଣେ ବୁଲୁଛ । ତମର ଏଇ ସବୁ ଚଖା ନୁଙ୍ଗୁରା ପଣିଆ ଯୋଗୁଁ ଧକ୍‌କା ବାଜି ଯାଉଛି ସିନା !

 

 

ଜଇ–

ହଉ ବାବୁ; ହେଲେ ହେଲା । ଆମ ନୁଙ୍ଗୁରାମି; ଆମ ଚଖାପଣିଆ ଆମ ପାଖରେ ଥାଉ, ଆଜିଠାରୁ ଆପଣଙ୍କର ଆମର ଏତିକି ।

 

 

ମୋହିନୀ–

ନ ରହିପାର, ସେଥିପାଇଁ ତଣ୍ଡକାର ନୋହୁଁ ।

ଜଇ–

ସେଥିରେ କଣ ଅଛି, ବାବୁ ମୋର ଏ ମାସର ବେତନ ଯା ହେଲା ଦେଇ ଦିଅନ୍ତୁ ।

 

 

ମୋହିନୀ–

କଣ ହିସାବ ପାଇନାହଁ !

ଜଇ–

କିପରି ପାଇଲି ?

 

 

ମୋହିନୀ–

କିହୋ ଏ ମାସ ତା ୭ ରିଖ ଦିନ ଦଫେ ଦଶଟଙ୍କା ନେଇ ନାହଁ ?

ଜଇ–

ହଁ ନେଇଛି ।

 

 

ମୋହିନୀ–

ପୁଣି ଯେଉଁଦିନ ମଦ ଖାଇ ମାତାଲ ହୋଇ ବେଶ୍ୟା ଦ୍ୱାରରୁ ପୋଲିସଦ୍ୱାରା ଗିରଫ ହୋଇଥିଲ, ସେ ଦିନ ୫ ଟଙ୍କା ନେଇ ଉଧୁରି ଥିଲ, ମନେ ପଡ଼ୁଛି ତ ? ଆଉ ତମର ଟଙ୍କା କୁଆଡ଼ୁ ଆସିଲା ?

 

 

ଜଇ–

ହଉ, ଆମର ଯେତିକି ଚୂନା ସେତିକି ପିଠା ।

ମୋହିନୀ–

ବୁଝିଲନା ପାଣିଏ, ଆମର ଏଠି ହକ ମଜୁରିଚୋଖା କାମ । ପଇସା ଦେଲେ ଆମକୁ ଚାକର ମିଳିବେ; ମାତ୍ର ତମପରି ଲୋକକୁ ରଖି ସମୟବେଳେ ବିପଦରେ ପଡ଼ିବା କଥା ।

 

 

ଜଇ–

ହେଉ, ହେଲା, ଆମକୁ ବି ଚାକିରି ଅଭାବ ନାହିଁ ଯେ । (ପ୍ରସ୍ଥାନ)

————————

 

ଚତୁର୍ଥ ଦୃଶ୍ୟ

( ମଧୁ ଓ ଦୁଆରିର କଥୋପକଥନ )

ମଧୁ–

ଦୁଆରି ଭାଇ, ବୁଝିଲୁଣି ନା, ଜଇ ଭାଇ ଯୋଉଁଠି କାମ କରୁଥିଲା, ସେ ସେଠଉଁ ଇସ୍ତଫା ଦେଇ ଦେଲାଣି ।

ଦୁଆରି–

କାହିଁକି ମ ?

 

 

ମଧୁ–

ତାରି ଏଇ ବଦାଚରଣ ଯୋଗୁ ବିରକ୍ତ ହୋଇଥିବେ ।

ଦୁଆରି–

ଓହୋ, ତାକୁ ଯେମିତି ଆଉ ଚାକିରି ମିଳିବ ନାହିଁ ! ପେଟଟା ଅପୋଷା ରହିଯିବ ! ସେ ଯେବେ ଖାଲି ସମାଜ ଲେଖି ବସିବ, ତ ମାସରେ ଶଅ ଶଅ ଟଙ୍କା କମେଇବ-। ଦିଟା କଣ ସୁଆଙ୍ଗ ଘରେ ରଖିଛନ୍ତି ବୋଲି ମୋତେ ଏ ଚିଠିଟା ଦେଇଛନ୍ତି । ମୁଁ ତାଙ୍କ ଘରୁ ଘେନି ଆସିବି । ଏକଲାଟା ଯିବାକୁ ଇଚ୍ଛା ହେଉ ନାହିଁ, ଚାଲ ଦିଜଣଯାକ ଯିବା, ତାଙ୍କ ଗାଁ, ତାଙ୍କ ଘରଦ୍ୱାର କେମନ୍ତି ଦେଖି ଆସିବା । ଗାଡ଼ି ଟାଇମ ତ ଆସି ହୋଇଗଲା, କଟକରୁ ଗୋଟାଏ ଷ୍ଟେସନ ଯାଇ ଉତୁରି ପଡ଼ି, ସାଇକେଲଟା ତ ଅଛି, ତୁ ପଛରେ ଛିଡ଼ା ହେବୁ, ଚାଲିଯିବା । ପାନ ଫାନ ତ ନାହିଁ, ଦୋକାନ ଏକରକମ ବନ୍ଦ, ଚାଲ ତେବେ ? (ଉଭୟଙ୍କ ପ୍ରସ୍ଥାନ)

————————

 

ଦ୍ୱିତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ଜଇପାଣି–

(ଯୁଗଳ) କଣ କରିବି ? ଚାକିରୀ ଖଣ୍ଡିତ ଇସ୍ତାଫା ଦେଇ ଆସିଲି, ବର୍ତ୍ତମାନ ଚଳେ କିପରି ? ଦୈନିକ ଖାଇ ଖର୍ଚ୍ଚ ବଳେଇ ଯାନ୍ତା ନାହିଁ, ଯେ କୌଣସି ମତେ ଚାରିଅଣା ଉପାୟ କରି ପାରନ୍ତି; କିନ୍ତୁ ସେଇ ନିଶାପାଣିଟିକକ ମୋତେ ବଳେଇ ଯାଉଛି । ଯାହା ହଉ, ଦୁଆରି ଭାଇ ଯେଉଁ ଉପଦେଶଟି ଦେଇ ଯାଇଛନ୍ତି, ତାକୁଇ କାର୍ଯ୍ୟରେ ପରିଣତ କରିବି । ଏ ଗୋଟିଏ କିଏ ଆସୁଛି ? ଆହା କେଡ଼େ ରୂପବତୀ, ବିଧାତା ୟାକୁ କେତେଦିନ ବସି ଗଢ଼ି ନ ଥିଲା ।

 

 

 

(ପାର୍ବତୀର ପ୍ରବେଶ)

ଜଇ–

(ମୁଣ୍ଡ କୁଣ୍ଡାଉଁ କୁଣ୍ଡାଉଁ) ହଇ ହେ, ତମ ଘର କୋଉଁଠି କି ?

ପାର୍ବତୀ–

କାହିଁକି; ଆମ ଘରରୁ ତେମେ କଣ ପାଇବ ?

 

 

ଜଇ–

ୟା କଣ ପଚାରନ୍ତି ନାହିଁ ? ମୁଁ ଏ ସହରରେ ପ୍ରାୟ ପିଲାଟି ଦିନୁ କାରବାର ହେଉଛି, ତମ ପରି ସ୍ତ୍ରୀ ଲୋକଟିଏ ଦିନେ ମାତ୍ର ଦେଖି ନ ଥିଲି । ସେଥି ଯୋଗରୁ ନ ପଚାରି ରହିପାରିଲି ନାହିଁ ।

 

 

ପାର୍ବତୀ–

ତମ ଘର ଏଇ ସହରରେ ?

ଜଇ–

ଆମ ଘର କୋଠସାହି । ଏ ସହରରେ ନାଟ ତାମସା କରି ଆଉ କବିତା ବିକି ଅନେକ ଲୋକଙ୍କ ସହିତ ଭାବଆଳାପ କରିଆସିଛି । ତମକୁ ଗୋଟିଏ କଥା କହିବାକୁ ମନଟା ହଉଛି–

 

 

ପାର୍ବତୀ–

କି କଥା କହିବ ?

ଜଇ–

(ସ୍ୱଗତ) ୟା ରୂପରୁ ଅନୁମାନ ହେଉଛି, ୟା ଚାଲିଚଲଣ ଯାହା ଦେଖିଲିଣି, ଏ ନିଶ୍ଚୟ ଜଣେ ରସିକା ?

 

 

ପାର୍ବତୀ–

ମୁଁ ଯାଉଛି ସାଆନ୍ତେ; ମୋତେ ଉଛୁର ହେଉଛି ।

ଜଇ–

ଯିବ ତ, ଶୁଣ ଗୋଟାଏ କଥା ଶୁଣ ।

(ଗୀତ)

ଘନକେଶୀ ମନ୍ଦହାସୀ

ହସି ପଦେ କହିଯାରେ ।ପଦ।

ତୋ ପ୍ରେମ ନୌକାରେ

ମାଝି ମୋତେ କରି ନେଇଯା ରେ ।

ପାର୍ବତୀ–

(ସ୍ୱଗତ) ଖଣ୍ଡିଆ ମୋତେ କଣ ବାରୀ ପରି ପାଇଲାଣି କି ? ହଉ କଣ କହୁଛି କହିଯାଉ ।

ଜଇ–

କଣ ମନେ ଭାବୁଛ କି ?

 

 

ପାର୍ବତୀ–

ମୁଁ ଟିକିଏ ଅନେଇଲି କିଏ କୁଆଡ଼ୁ ଆସୁଥିବ ପରା ?

ଜଇ–

 

(ଗୀତ)

ତୋ ସୁଧାଅଧରୁ ସୁଧା,

ଦେଇ ମୋତେ ରଖ ବନ୍ଧା,

ସୁଧ ମୁଁ ନ ଦେଲେ ଅବା (ମୋତେ)

ନେତ୍ରାନ୍ତରେ ମୋହି ଯା ରେ । ୧ ।

 

ବୁଝି ପାରୁଛୁଟି ?

 

 

ପାର୍ବତୀ–

ଆଚ୍ଛା, ମଣିଷ କୋଉଠି ବନ୍ଧା ପଡ଼ିଲେଣି ?

 

 

ଜଇ–

 

(ଗୀତ)

ତୋ ହୃଦ ରତନ ପରି (ମୋତେ)

ମଣିବୁରେ ବିମ୍ବାଧରି;

ହୃଦ କଷଟିରେ ଧରି

ପରଖି ତୁ ଚାହି ଯା ରେ ।

 

ସଖି ! ତୋ ଗଳାରେ ଯେଉଁ ହାରଟି ନାଇଛୁ, ତା ସଙ୍ଗେ ମୋତେ ତୁଳନା କରି ତୋ ହୃଦ କଷଟିରେ ପରଖିନେ, ମୁଁ କେମିତିଆ ?

 

 

ପାର୍ବତୀ–

(ସ୍ୱଗତ) ଏଡ଼େ ବଡ଼େଇ (ପ୍ରକାଶ୍ୟେ) ସେଇଠୁଁ ।

 

 

ଜଇ–

 

(ଗୀତ)

ପ୍ରୀତି ସଙ୍ଗେ କର ତୁଲ

ଆଗୁ ମୁଁ କହୁଛି ମୂଲ

ବାଳକୃଷ୍ଣ ବୋଲେ ଭଲ-

ଲୋକୀ ଖୋଜା ନାହିଁ ଯା ରେ ।୩।

 

ସଖି ! ତୋ ସୁଧା ଅଧରରୁ ଟିକିଏ ମଧୁ ପିଇବାକୁ ଏ ମନ ଭ୍ରମର ବଡ଼ ଅଥୟ ହେଉଛି । ତୁମ୍ଭେ ବା ବିଶ୍ୱାସ ଯିବ ନାହିଁ । ମୁଁ ତୁମ୍ଭଙ୍କୁ ଦେଖିଲାବେଳଠାରୁ ମୋ ମନ ପ୍ରାଣ ତୁମ୍ଭର ଶ୍ରୀଚରଣରେ ସେବକ ହେବାକୁ ଲାଳାୟିତ ହୋଇଛି । ତୁମ୍ଭେ କିଏ ? କୁଆଡ଼କୁ ଯାଉଛ ?

 

 

ପାର୍ବତୀ–

ମୁଁ ଧୋବାଘର ଝିଅ, ବଡ଼ ବଡ଼ ବାବୁ ଭୟା ସାଇବ ସୁବାଙ୍କର ଲୁଗାପଟା କାଚି ପେଟ ପୋଷେ । ଗଡ଼ିଆ ପୋଖରୀରେ ପାଣି ଶୁଖି ଯାଇଥିବାରୁ ନଈରେ ଟୋପେ ପାଣି ଅଛି ବୋଲି ଲୁଗାପଟା ନେଇ ଯାଉଛି ?

 

 

ଜଇ–

ଆଚ୍ଛା, ନଈ ପାଣିକି ତ ନିତି ଯାଉଛ, ପରିଶ୍ରମ କରୁଛ, ପେଟ ପୋଷୁଛ । ଦିନେ ଜଇପାଣି ପାଖକୁ ଆସ, ବିନା ପରିଶ୍ରମରେ କି ସ୍ୱର୍ଗ ସୁଖ ଭୋଗ କରିବ; ଦେଖିବ ।

 

 

ପାର୍ବତୀ–

(ସ୍ୱଗତ) ଖଣ୍ଡିଆର ତ ଭାରି ଛାତି (ପ୍ରକାଶ୍ୟେ) ତେମେ ପରା ବ୍ରାହ୍ମଣ, ମୋତେ କିପରି ଛୁଇଁବ ?

ଜଇ-

ଆଲୋ ପ୍ରେମର ସ୍ଥାନାସ୍ଥାନ, ପାତ୍ରାପାତ୍ର, ଜାତିଅଜାତିର ଭେଦାଭେଦ ନାହିଁ । (ସ୍ୱଗତ) ହେ ବାବା, କଦମରସୁଲ, ମୋର ଯଦି ଏ କାମଟା ଫତେହେବ, ଟଙ୍କାକର ସିରିଣି ଫାତିଆ ଦେବି ।

 

 

ପାର୍ବତୀ–

(ସ୍ୱଗତ) ସାପଖିଆ ବ୍ରାହ୍ମଣକୁ ଆଚ୍ଛାକରି ପାନେ ଅକଲ ଦେବି ଯେ, କାଳ କାଳକୁ ବସି ଅଖା ଧୋଉଥିବ, ଗୁଣ ଗାଉଥିବ । (ପ୍ରକାଶ୍ୟେ) ତମ ବସା କୋଉଠି, ମୁଁ କିମିତି ଯିବି ?

 

 

ଜଇ–

(ହସି ହସି) ଆମ ବସାଟା ଏଇ ନବସାହୁ ପଥର କୋଠା ସାମନା ଚହୁମୁହାଣି ଛକ ପଦୀ ମା ଘର । ଆହା ମୁଁ ତୁମ୍ଭଙ୍କୁ ସେଠିକି ଯିବାକୁ କହିବି ? ତମ ଘର ମୋତେ ଦେଖାଇ ଦିଅ ଯେ, ମୁଁ ସନ୍ଧ୍ୟାକୁ ହାଜର ହେବି ।

 

 

ପାର୍ବତୀ–

(ଅଙ୍ଗୁଳି ଦେଖାଇ) ଏଇ ମୋର ଘର, ମୋତେ ଉଛୁର ହେଉଛି, ମୁଁ ଯାଉଛି ।

 

(ପ୍ରସ୍ଥାନ)

ଜଇ–

ଆହା ! ସତେ ମୋର ସେ ଭାଗ୍ୟ ହେବ ? ସତେ ସେ ଚନ୍ଦ୍ରବଦନୀକୁ ଅଙ୍କରେ ବସାଇ ମନରଙ୍କା ଛଡ଼ାଇବି ।

 

(ପ୍ରସ୍ଥାନ)

————————

 

ଦ୍ୱିତୀୟ ଦୃଶ୍ୟ

କମଳା–

(ଚକି ପେଷୁ ପେଷୁ) ଗୀତ ।

ଦଇବ ରେ, ମୋ କପାଳେ ଏହା ଥିଲା । ଘୋଷା ।

କାନ୍ତସୁଖ ଦିନେ            ନ ଲଭି ଜୀବନେ

ଅବ୍ୟର୍ଥ ଜନ୍ମଟା ଗଲା । ୧ ।

ଧନ ଲୋଭେ ପିତା            ଦେଲେ ଏ ଅବସ୍ଥା

(ମୋର) କି ଦୋଷ ଦେଖିଲେ ଭଲା । ୧ ।

 

 

ଏ ଖଣ୍ଡିଆ ତ ଦି ବର୍ଷ ହେଲା ଗଲା । ଚିଠିପତ୍ର ଖଣ୍ଡେ ପଠାଇଲା ନାହିଁ, କି ଘର ବୋଲି ମୁହଁରେ ଧଇଲା ନାହିଁ । ମୁଁ ଏଥିରେ କରେଁ କଣ ? ଚାରିମାସ ତଳେ ଯେଉଁ ଦୁଆରୀ ବାବୁକୁ ମୋ ପାଖକୁ ଖାତାପତ୍ରପାଇଁ ପଠାଇଥିଲା, ସେ ବାବୁ ବଡ଼ ଉତ୍ତମ ଲୋକ । ପୁଣି ତାଙ୍କ ସଙ୍ଗରେ ଯେଉଁ ମଧୁବାବୁଟି ଆସିଥିଲେ, ସେତ ତହୁଁ ଅଧିକ । ତାଙ୍କ କଥାଗୁଡ଼ିକ ବଡ଼ ମିଠା । ସେ ମୋର ରନ୍ଧାବଢ଼ାକୁ ବଡ଼ ଭଲଯାନ୍ତି । ମୁଁ ମଧ୍ୟ ତାଙ୍କୁ ଦେଖି ତାଙ୍କ ଶ୍ରୀଚରଣରେ ମନପ୍ରାଣ ସମର୍ପି ଦେଇଥିଲି । ସେ ଦିନକୁ ଆସି ଚାରିଦିନ ରହିଗଲେ । ସେଦିନ ଚାରିଟା ମୋତେ ମୁହୂର୍ତ୍ତକ ପରି ଲାଗିଲା । ଏ ବୁଢ଼ୀଟା ଯଦି ନ ଥାନ୍ତା, ତେବେ ଟିକେ ସୁଖ ଓ ଶାନ୍ତି ଭୋଗ କରନ୍ତି । ଆହା, ତାଙ୍କ କଥା ଜମା ମନରୁ ପାଶୋର ଯାଉ ନାହିଁ ।

 

 

ସୁଶୀଳା–

(ପ୍ରବେଶି ବୋହୂ ପ୍ରତି) ଆହା ଲୋ, ମୋ ଗୁଣବନ୍ତ ବୋହୂ, କଣ ବସି ଭାବନା ହେଉଛି କି ? ଘଇତାର ପ୍ରିୟ ଦୁଆରିବାବୁ ଆସିଲା ଦିନ ତ ଗୋଡ଼ ତଳେ ଲାଗୁ ନ ଥିଲା ! ସଙ୍ଗାତ ଆଇଛନ୍ତି, ସଙ୍ଗାତ ଆଇଛନ୍ତି ବୋଲି ଆଜି ଛୁଞ୍ଚିପତ୍ର କର, କାଲି ମଣ୍ଡାକର, କାଲି ଏଣ୍ଡୁରି କର, କାଲି କାକରା କର, ଆଜି ଗଲୁ, ଗାଁ ଯାକ କି ପାଲା ଲାଗିଛି ଶୁଣିବୁ ।

 

 

କମଳା–

କଣ ପାଲା ଲାଗିଛି ମ ?

ସୁଶୀଳା–

ଆହୁରି ମୁହଁ ହଲେଇ କଥା କହୁଛୁ ? ଶାସନ ଯାକ କହୁଛନ୍ତି, ସେ ଦୁଆରିଟା କାହିଁକି ମାଇପି ଘରେ ଚାରିଦିନ ରହିଲା । ସେ ତ ବାଟର ବାଟୋଇ । ଆସିଲା କାଗଜ ପତ୍ର ନେଇ ଯାଇଥାନ୍ତା । ଆମର ବ୍ରାହ୍ମଣ ଘର, ସେ କି ଜାତି ନାହିଁ କି ଜାତି, ସେ କାହିଁକି ଆମ ଖଟ ମାଠ ଉପରେ ଶୋଇଲା, ସେଇଥି ଲାଗି ହାଟ ବସିଛି ।

 

 

କମଳା–

ହଉ ହେଲେ ହେଲା ଯା, ଯା ମନ ଯୋଠେଇ ରସିଲା ।

ସୁଶୀଳା–

ହଇ ଲୋ ଆଣ୍ଠୁକୁଡ଼ୀ ଘର ଝିଅ, ତୋ ମନ ତ ରସିଲା, ମୋ ବଉଁଶକୁ ଯେ ଭସାଇ ଦେଲୁ ।

 

 

କମଳା–

ଓହୋ ରେ ଚାତର, ଗନ୍ଧ ପଶି ଯାଉଛି । ତମ ପୁଅ ଯେ ବାରଘରେ ରହୁଛି, ବାର ଯାଗାରେ ଶୁଣ୍ଢିପିଣ୍ଡା ହୋଇ ବେଜିତ ହେଉଛି, ସେ ସବୁ ବ୍ରାହ୍ମଣ କୁଳକୁ ସାଜେ ପରା ?

 

 

ସୁଶୀଳା-

କହିବୁ ନାହିଁ କାହିଁକି, ପୁଅ ଯେବେ ଗୁଣର ହୋଇଥାନ୍ତା, ମୋତେ କି ଏ ଅବସ୍ଥା ଭୋଗ କରିବାକୁ ପଡ଼ିଥାନ୍ତା ।

 

(ମୁଣ୍ଡରେ ହାତ ଦେଇ ବାହୁନିବା)

 

ହାଁ ମୋ ଜଇନା ମାଳିରେ । ତୋରି ଯୋଗୁଁ ସିନା ଏ ମୁହାସଖାଈଠାରୁ ବାର କଥା ଶୁଣୁଛି ରେ, ହାଁ ମୋ ଜଇନା ମାଳି ରେ । ଶାସନ ଯାକ ତ ଏ ସବାଖାଈ ଯୋଗୁ ମୋତେ କେଣ୍ଟା କେଣ୍ଟା କରି ଖାଇ ଯାଉଛନ୍ତି ରେ । ହାଁ ମୋ ଜଇନାମାଳି ରେ ।

 

 

କମଳା–

ତମର ଏଥିପାଇଁ କି କିସ ପଡ଼ିଛି । ଯା ଘରେ, ଯେ ଯାହା କୁହାକୁହି ହେଲେ, ତମକୁ ତ କେହି କହୁ ନାହିଁ । ତମ ଘରେ ତମେ ଚୁପ ହୋଇ ବସ ।

 

 

ସୁଶୀଳା–

ଆଉ ବସିବି କଣ ଲୋ, ହାତ ଗୋଡ଼ଖାଈ, ସେଆଡ଼େ, ଯେ ଶାସନ ମନା, ତହିଁରେ ପୁଣି ଧୋବା ଭଣ୍ଡାରି ଅଟକ । କରିବା କଣ ?

 

 

କମଳା–

ତମର ତମେ ଯାହା କରିବାର କର, ମୋର ଯଦି ବାପଘର ଗାଁ ମିଶ୍ର ପଣ୍ଡିତ ଘର ଥିବ ତ ମୁଁ ଏ ଶାସନଯାକଙ୍କୁ ମାନେ ନା ।

 

 

ସୁଶୀଳା–

ରାଣ୍ଡର ଝିଅ ମୋ ପୁଅ ଥିଲେ ତୋ ବେକରେ ତଣ୍ଟିଆ ଦେଇ ନିକାଲି ଦିଅନ୍ତାଣି ।

 

 

କମଳା–

(ମୁଣ୍ଡରେ ହାତଦେଇ ବାହୁନିବା) ହାଁ ମୋ ବୋଉ, ଏ ଖଣ୍ଡିଆ ହାତ ଧରେଇ ଦେଇ ମୋତେ ମଝି ଦରିଆରେ ଭସେଇ ଦେଲୁ ଲୋ । ହା ମୋ ବୋଉ । ଅନ୍ତୁଡ଼ିଶାଳରେ ମୋ ତଣ୍ଟିରେ ଖୁର ନ ଦେଇ ମୋତେ ଏହି ହୀନ ଅବସ୍ଥା କରିବୁ ବୋଲି ତୋ ମନରେ ଥିଲା ଲୋ, ହାଁ ମୋ ବୋଉ । ଖେଣ୍ଟି ବୁଢ଼ୀ ତୁ ମୋତେ ରଖି ଥୋଇ ଦବୁନାହିଁ, ମୁଁ ଯାଉଛି ମୋ ବାଟ ଦେଖିକି । (ପ୍ରସ୍ଥାନ)

 

 

ସୁଶୀଳା–

ମଲା, ମଲା, ଏ ଗଲା କୁଆଡ଼େ ? କୂଅ ପୋଖରୀକି ଡେଇଁ ମୋତେ ଉଚ୍ଛନ୍ନ କରିବ କି, ଯାଏ ଦେଖେଁ । (ପ୍ରସ୍ଥାନ)

————————

 

ତୃତୀୟ ଦୃଶ୍ୟ

( ଜୟରାମ ପାଣି ପାର୍ବତୀର ଦାଣ୍ଡଦ୍ଵାରେ ଟହଲ ମାରୁ ମାରୁ )

ଜଇ–

ଏ ଇ ଘର ତ ଦେଖାଇ ଦେଇଥିଲା, କାହିଁ କବାଟ ତ ବନ୍ଦ, କଣ କରିବି ? କାହାକୁ ଡାକିବି [ ଗଳା ଖଙ୍କାର ମାରି ] ।

ରଘୁଆ–

କିହୋ ବାବୁ ! ଏଠି କାହିଁକି ବୁଲୁଛ ! ମୁଁ ଦେଖୁଛି ତେମେ ପହଡ଼େ ହେଲା ଏ ପାଖ ସେ ପାଖ ହେଉଛ ।

 

 

ଜଇ–

ନାହିଁ, ହଁ, ଏଠି ମୋ ଲୁଗା ଦିଖଣ୍ଡ ଦେଇଥିଲି ନବାକୁ ଆସିଛି ।

ରଘୁଆ–

କଣ, ରାତି ପହଡ଼େ ହେଲାଣି, ଲୁଗା ନବାକୁ ଆସିଛ, ଡାକୁନା ।

 

 

ଜଇ–

ମୁଁ ତା ନା ଜାଣେ ନାହିଁ ।

ରଘୁଆ–

ତା ନା ପାର୍ବତୀ ।

 

 

ଜଇ–

ଟିକେ ଡାକି ଦିଅ ତ ?

ରଘୁଆ–

ମୋର ତାର ପଡ଼େ ନାହିଁ । ତା ବାପ ମୋତେ ତାକୁ ବିବାହ ହେବାକୁ ଅନେକ ଦିନୁଁ ତା ଘରେ ରଖିଥିଲା । ମୁଁ କଳି କରି ତା ପାଖରୁ ଅଲଗା ହୋଇଯାଇଛି ।

 

 

ଜଇ–

ସେ କଣ ବାହା ହୋଇ ନାହିଁ !

ରଘୁଆ–

ନା, ନା, ବାହା ହୋଇନାହିଁ । ମୁଁ ଯାଉଛି,

 

ମୋତେ ଦେଖିଲେ, ଶୋଧି ପକାଇବ । (ପ୍ରସ୍ଥାନ)

 

 

ଜଇ–

(ସ୍ୱଗତ) ଆରେ ବାଃ, ପାର୍ବତୀ ଅବିବାହିତା, ଓହୋ ମନଟା କଣ ହୋଇ ଯାଉଛି (ପ୍ରକାଶ୍ୟେ) ପାର୍ବତୀ ! ପାର୍ବତୀ ମ ।

ପାର୍ବତୀ–

(ଦ୍ଵାର ଖୋଲି ଦେଇ) କିଏ, ତମେ ଆସିଲଣି କି ? ଚୋର ପରି ଠିଆ ହୋଇଛ ଡାକୁ ନାହଁ, ଆସ ଆସ ଘରକୁ ଆସ।

 

 

ଜଇ–

ପାର୍ବତୀ ! ଆସିଲି ହଁ, କିନ୍ତୁ ଟିକିଏ ତରତରିଆ ଅଛି ।

ପାର୍ବତୀ–

କାହିଁକି ?

 

 

ଜଇ–

ତେଣେ ଗୋଟାଏ ଗାନ୍ ବଜାନ୍ ହେବ, ମୋତେ ନିମନ୍ତ୍ରଣ ଅଛି ।

 

 

ପାର୍ବତୀ–

ହଉ, ବସ, ସେ ନଟବାବୁଙ୍କ ପିଲା ପିଲି ଆଜି ଦିନ ଗାଡ଼ିରେ ପୁରୀ ଚାଲିଗଲେ; ସେ ଆଜି ରାତିରେ ଗାଡ଼ିରେ ଯିବେ । ତାଙ୍କର ବି ଚାରି ଖଣ୍ଡ ଲୁଗା କାମିଜ ଅଛି । ଧୋବ ହୋଇ ଯାଇଛି, ଖାଲି ଟିକିଏ ଇସ୍ତ୍ରୀ ଚଳାଇ ଦେଲେ ସେ ନେଇଯିବେ । ତାଙ୍କର ଚାକର ବାକର ସବୁ ଚାଲି ଯାଇଛନ୍ତି, ମୋତେ ଯିବାକୁ ପଡ଼ିବ କି କଣ ହେବ । ଦେଖାଯାଉ, ତମେ ଆମ ପାନ ଖାଇବ ତ ।

 

 

ଜଇ–

କାହିଁକି ଖାଇବୁ ନାହିଁ ? ଦିଅ ତମରି ହାତରେ ଦିଅ, ଖୋଇ ଦିଅ, (ପାଟି ଆଁ କରି ଦେଖାଇବା) ଦିଅ ।

ପାର୍ବତୀ–

ଉଁହୁ, ମୁଁ ଛୁଇଁବି ନାହିଁ, ମହକ ଲୁଗାଗୁଡ଼ାକ ଖାର ଦେଉଥିଲି । ମୋ ଲୁଗା ଛୁଆଁ । ସେଇଠି ବଟୁଆ ଅଛି ତେମେ ଭାଙ୍ଗି କରି ଖାଅ । ମୁଁ ଲୁଗା ଦିଖଣ୍ଡ ଇସ୍ତ୍ରି କରିଦିଏ । ( ଇସ୍ତ୍ରି କରିବା )

 

 

ଜଇ–

ହଉ ( ବଟୁଆ ଖୋଲି ପାନ ଭାଙ୍ଗୁ ଭାଙ୍ଗୁ )

ଗୀତ

ପର ପ୍ରେମେ ଅଛି କି ରସ

ରସିକ ନ ହେଲେ କି ଜାଣେ

ଅରସିକ ପାରଡ଼ା ପୋକ

କଖାରୁ ଫୁଲଟିକୁ ଚିହ୍ନେ

ପର କାୟା ବିଷ ମଣେ,      ପର ଧନ ତୁଚ୍ଛ ମଣେ

ତାକୁ କି ମନୁଷ୍ୟ ଗଣେ ।୧।

 

ପାର୍ବତୀ–

କିହୋ ଏଡ଼େ ପାଟି କରୁଛ, କିଏ ଶୁଣିବଟି ! ତମେ କଣ ଖାଇଛ କି ?

 

 

ଜଇ–

ଆଲୋ ପାର ! ମୋ ଖାଇଲା କଥା କଣ ଶୁଣିବୁ । କୁ ପାଣି ପାଖକୁ ନିତି ପ୍ରତି ଦୌଡ଼ୁଥିଲୁ, ଆଜି ବଳେ ବଳେ ପାଣି ଆସି ତୋ ପାଦତଳେ ହାଜର । ମନେରଖ, ଆଜିଠାରୁ ପାଣି ଧୋବଣି ଏକାଠି ହେଲେଣି । ଖାଲି ତ ମାଲ ଆସିବ ଟିଣି ଟିଣି, ଆଉ ବୋତଲ ଆସିଲେ ନ ଅଣ୍ଟେ । ତେମେ ଖାଅ ନା ।

 

 

ପାର୍ବତୀ–

ଉଁ, ହୁଁ ।

ଜଇ–

ଆରେ ବାବୁ ! ଆଉ କଣ ରସିକା ହୋଇଛ ମ ।

 

 

 

ଗୀତ

ଛୁଇଁ ନାହିଁ ଯେ ମଦ ମାଂସ ।

ସେ କି ଜାଣେ ପୀରତି ରସ ।

ସେଇଟା ଅପାଳ ପାଉଁଶ ।୨।

 

ନଟ ମହାନ୍ତି–

(ନେପଥ୍ୟେ) ପାର ! ସଇଲା ।

ପାର୍ବତୀ–

(ସ୍ୱଗତ) ନଟବାବୁ ତ ନଈକୂଳକୁ ବୁଲିବାକୁ ଯାଇଥିଲେ, ଏଇବାଟେ ଆସିଲେ ପରା । (ତୁଣ୍ଡ ଶୁଣାଇ) ବାବୁ ହେଉଛି ।

 

 

ନଟ–

କବାଟ ଫିଟା, ଗାଡ଼ି ଟାଇମ ତ ହେଲା, ଆଉ କେତେବେଳେ ଆମ ଲୁଗା ଦବୁ । ବସାରେ କେହି ନାହାନ୍ତି ମୁଁ ଏକାକେ, ଚଞ୍ଚଳ କରି ଦେ, ଆସିଥାଇଁ ନେଇଯିବା ।

 

 

ପାର୍ବତୀ-

ଚାଲନ୍ତୁ (ଯିବାକୁ ଉଦ୍ୟତ)

ଜଇ–

ହେ ମୁଁ କଣ କରିବି ?

 

 

ପାର୍ବତୀ–

ତେମେ ଦମ୍ଭ ହୋଇ ବସୁନାହଁ ପଚାରିଲେ କହିବ ମୁଁ ଲୁଗାପାଇଁ ଆସିଛି ।

ଜଇ–

ହେ ମୋତେ ଧରା ପକାଇବା କଥା, ମୁଁ କଣ କରିବି କହ ?

 

 

ନଟ–

କବାଟ ଫିଟାବା, ପିଣ୍ଡା ଟିକିଏ ତ ବଡ଼କରି ନାହୁଁ, ମେଘ ପକାଉଛି । ମୁଁ ଛତା ଫତା ସବୁ ଦିନ ଗାଡ଼ିରେ ପଠାଇ ଦେଇଛି ?

ପାର୍ବତୀ–

ଚାଲନ୍ତୁ ।

 

 

ଜଇ–

(ତୁନି ତୁନି) ହେ ପାର ! ତୋ ହାତ ଧରୁଛି, ତୋ ଗୋଡ଼ ଧରୁଛି, ମୋତେ କେଉଁଠି ଲୁଚା । ସେ ନଟବର ମହାନ୍ତିଙ୍କୁ ମୁଁ ଭଲ କରି ଜାଣେ, ସେ ଜଣେ ଭାରି ମୁଖିଆ ଲୋକ । ଦେଖିଲେ ବାର ଜାଗାରେ ବାର କଥା କହି ମୋ ଇଜ୍ଜତ ନେବ-

 

 

ପାର୍ବତୀ–

(ତୁନି ତୁନି) ମୋର ତ ଘର ବୋଲି ଖଣ୍ଡେ, କୋଉଠି ଲୁଚିବ, ଏ ମେଜ ଉପରେ ଶୋଇପଡ଼ ମୁଁ ଦିଖଣ୍ଡ ଲୁଗା ଘୋଡ଼େଇ ଦଉଛି ।

 

 

ଜଇ–

(ତୁନି ତୁନି) ନାହିଁ, ଧରା ପଡ଼ିବା କଥା । ମୁଁ ବ୍ରାହ୍ମଣ ତୋ ଗୋଡ଼ ଧଇଲିଣି, ମୋତେ ରକ୍ଷାକର ।

ପାର୍ବତୀ–

ଏତେବେଳକୁ ବ୍ରାହ୍ମଣ, ହଉ ହେ, ତେବେ ଏ ଯେଉଁ ଅଖା ଗୋଟିକ ଏଠି ପଡ଼ିଛି ୟା ଭିତରେ ପଶ ମୁଁ ତା ମୁହଁରେ ଗଣ୍ଠି ପକାଇ ଦେଇ ଦୁଆର ମୁହଁରେ ପିଣ୍ଡାରେ ଡେରି ଦେବି ।

 

 

ଜଇ–

(ତୁନି ତୁନି) ନୋହିଲେ କି ପାର, ମୋର ତହିଁରେ ଷୋଳପଣ ରାଜି । ଆଣ, ଅଖା ଦେ, ମୁଁ ପଶେ (ଅଖାରେ ପଶୁ ପଶୁ) ମୋ ପ୍ରେମିକ ପଣିଆ ବାହାରିଲା । ପକା, ଗଣ୍ଠି ପକା ।

 

 

ପାର୍ବତୀ–

ବୁଝିଲ ନା, କାହାଠାରୁ ଅଧିବାସ ଟାଣ (ଗଣ୍ଠି ପକାଇ ପିଣ୍ଡାକୁ ଡେରି ଦେଇ କବାଟ ଖୋଲି) ଆସନ୍ତୁ ବାବୁ !

ନଟ–

ସବୁ ଠିକ ହୋଇ ଯାଇଛି ତ ।

 

 

ପାର୍ବତୀ–

ଲୁଗା କାମ ସରିଛି, ଖାଲି କାମିଜ ଦି ଖଣ୍ଡ ଇସ୍ତ୍ରୀ ଚଲେଇ ଦେଲେ ନେଇ ଯିବେ । ଟିକିଏ ବସିଯାନ୍ତୁ ।

ନଟ–

କେଉଁଠି ବସିବା ?

 

 

ପାର୍ବତୀ–

ଆଜ୍ଞା, ସେଠି ଯେଉଁ ବସ୍ତାଟା ଡେରା ହୋଇଛି ତାରି ଉପରେ ବସିଯାନ୍ତୁ, ସେଥିରେ ଛୁଆଁ ଛୁତି ଜିନିସ କିଛି ନାହିଁ ।

ନଟ–

(ବସ୍ତାରେ ବସିବା ସମୟେ ହାତ ମାରି) କିଲୋ ପାର ! କଣଗୁଡ଼ାଏ ଏଥିରେ ପୁରାଇଛୁ ବା ?

 

 

ପାର୍ବତୀ-

ଆଜ୍ଞା ନଡ଼ିଆ, ଆପଣ ବସନ୍ତୁ ।

ନଟ–

(ବସ୍ତା ଉପରେ ବସି) ଟିକିଏ ଚଞ୍ଚଳ ସାରିଦେ । (ବସ୍ତା ଟଳିବାରୁ) ପାର, ବସ୍ତା ଭିତରେ କଣ ଗୋଟାଏ ଖଜବଜ ହେଲାପରି ଜଣାଯାଉଛି ।

 

 

ପାର୍ବତୀ–

ନାହିଁ ସାଆନ୍ତେ, ମୂଷାଗାତ ଦି ତିନିଟା ସେ ଅଖା ତଳେ ହୋଇଥିଲା, ସେ ମୂଷା ଅଖା କାଟି ଭିତରେ ପଶିଲେଣି ପରା, ଏ ମୂଷାଙ୍କ ଦାଉରେ କିଛି ରଖି ଥୋଇ ହେଲା ନାହିଁ । ଆପଣ ବସନ୍ତୁ । (ପାଣି ‘‘ମଲିଲୋ ବୋପା’’ କହି ଅଖା ସମେତ ଗଡ଼ି ପଡ଼ିବା । ନଟବର ବାବୁ ତଟସ୍ତ)

 

 

ନଟ–

ଏ କଣ କିଲୋ ପାର ! ଅଖାଟା ଭିତରୁ କିଏ ଗୋଟାଏ ମଲି ବୋଲି କହି ଗଡ଼ି ପଡ଼ିଲା ?

 

 

ପାର୍ବତୀ–

ବାବୁ ! କଣ କହିବି ସେ କଥା; ମୁଁ ଆପଣମାନଙ୍କ ପାଖରେ ପିଲାଟି ଦିନୁ ଚଳି ଆସିଲିଣି, ଆପଣମାନେ ଅବଶ୍ୟ ମୋର ଆଚରଣ ବିଷୟ ଜାଣିଥିବେ, ବୁଝିଥିବେ, ଏ ସାପଖିଆ ବ୍ରାହ୍ମୁଣଟା ସଞ୍ଜବେଳୁଁ ଆସି, ମୋ ସାଙ୍ଗରେ ବାରଆଡ଼ୁ ବାରକଥା କହି ମୋ ଇଜ୍ଜତ ନେବାକୁ ବସିଥିଲା । ମୁଁ ତାକୁ କୌଣସିମତେ ଅକ୍ତିଆର କରିବି ବୋଲି ଭାବୁଛି, ଏହି ସମୟରେ ଆପଣଙ୍କ ପାଟି ଦାଣ୍ଡରେ ଶୁଭିଲା, ଆପଣଙ୍କୁ କବାଟ ଫିଟାଇବାକୁ ବାହାରିଛି ସେ ମୋ ଗୋଡ଼କୁ ଧରି ଲମ୍ବ ହୋଇପଡ଼ି କହିଲା, ‘ମୋତେ କୋଉଠି ଲୁଚା ।’ ମୁଁ ଆପଣଙ୍କୁ ଚିହ୍ନାଇବି ବୋଲି ମନେକରି ତାକୁ ଏଇ ଅଖାରେ ପୂରାଇ ବାନ୍ଧି ଡେରିଦେଇ ଆପଣଙ୍କୁ ସେଥିରେ ବସିବାକୁ କହିଲି । ଦୋଷ ମାଫ୍‍ କରିବେ ।

 

 

ନଟ–

ବେଶ କରିଛୁ, ଆଚ୍ଛା କରିଛୁ । ସେ ବ୍ରାହ୍ମଣ ନାମ କଣ କହୁଥିଲା ? ସେ ଏଠି କେଉଁଠି କଣ କରେ ।

ପାର୍ବତୀ–

ସେ କହୁଥିଲା ତା ନା ଜଇପାଣି ବୋଲି । ସେ କୁଆଡ଼େ ଗୋଟାଏ ବଡ଼ କବି ।

 

 

ନଟ–

ଆରେ ହୋ; ସେ ପାଣି ! ସେଇଟା ତ ଭାରି ନୁଙ୍ଗୁରାଟାଏ । ବାର ଯାଗାରୁ ମାଡ଼ ଖାଉଛି । ହାଁ ଲୋ ପାର ! କବି ନା କୋବି (ଗୋଡ଼ରେ ବସ୍ତା ଗଡ଼ାଉ ଗଡ଼ାଉ) ଆଗରୁ ବସ୍ତାରେ ପଶୁଥିଲା ଫୁଲ କୋବି, ବନ୍ଧା କୋବି, ଓଲ କୋବି । ଆଜି ତ ବସ୍ତାରେ ଏ ଗୋଟାଏ ପାଣି କୋବି ପଶିଚି । ବସ୍ତା ଖୋଲ ଟିକିଏ ଦେଖିଥିବା । ଏ କୋବି ଆଗରୁ କେବେ କଟକରେ ଦେଖା ହୋଇ ନ ଥିଲା । (ପାର ବସ୍ତା ଫିଟାଇବାରୁ ପାଣି ବାହାରି ନଟବାବୁ ଗୋଡ଼ ଧରି ପକାଇ)

 

 

ଜଇ–

ବାବୁ ମୋତେ ରକ୍ଷା କର ।

 

(ଜଇକୁ ନଟ ବାବୁଙ୍କ ଚପେଟାଘାତ ଓ ପାରର ଛାଞ୍ଚୁଣି ପ୍ରହାର)

 

 

ପାର–

ଖଣ୍ଡିଆ ! ରସିକ ହୋଇଛୁ ।

ଜଇ–

ବାବୁ ମରିଗଲି, ମରିଗଲି ରକ୍ଷାକର ।

 

 

ନଟ–

ଯା ନିର୍ଲ୍ଲଜ, ବ୍ରାହ୍ମଣ କୁଳପାଁଶୁଳ ମଲୁନାହିଁ, ମା’ ଧରିତ୍ରୀ କିପରି ଏଭଳି ପାପଚାରିମାନଙ୍କୁ ତୋର କୋଳରେ ଧାରଣ କରିଛି, ରେ ନରାଧମ । ତୁ ପବିତ୍ର ବ୍ରାହ୍ମଣ କୁଳରେ ଜନ୍ମ ହୋଇଛୁ ସତ, ମାତ୍ର ତୁ ଚଣ୍ଡାଳଜନ୍ମା । ତା ନ ହୋଇଥିଲେ କି ଧୋବାଘରେ ଆସି ଅଖାରେ ପଶିଥାନ୍ତୁ । ପାର ! ଶୁଣିଛୁ, ଏ ବଦମାସ ଘରେ ତାର ଷୋଳ ବର୍ଷର ମାଇକିନିଆକୁ ଛାଡ଼ି ପରଘର ପଶା ନୁଙ୍ଗରାମି ବୁଦ୍ଧି ଛାଡ଼ୁନାହିଁ । ଏଇଥିପାଇଁ ତ ବାର ଜାଗାରୁ ମାଡ଼ ଖାଇ ଖାଇ ମୁଣ୍ଡ ଚନ୍ଦା ହୋଇଗଲାଣି । ( ପାଣି ମୁଣ୍ଡରେ ପାର ହାତ ମାରି )

 

 

ପାର୍ବତୀ–

ବାବୁ ! ସତେ ଜମା ରୁମ ନାହିଁ । (ପ୍ରହାର)

ଜଇ–

ବାବୁ, ରକ୍ଷାକର । କଥାରେ ଅଛି, ‘‘ଚୋରି କରିବ, ମହତ ଲୋକଙ୍କ ହାବୁଡ଼େ ପଡ଼ିବ ।’’

 

 

ନଟ–

ଯା ମୂର୍ଖ ! ଆଉ ଦିନେ ଏପରି କାର୍ଯ୍ୟରେ କେବେ ମନ ବଳାଇବୁ ନାହିଁ ।

ପାର୍ବତୀ–

ରହିଥା ସାଆନ୍ତେ, ରହିଥା, ତାକୁ କିଛିଦିନକୁ ଚେଙ୍ଖାଟାଏ ନ ଦେଲେ ହବନାହିଁ କି ସେ ତା ନୁଙ୍ଗୁରା ପଣିଆ ଛାଡ଼ିବ ନାହିଁ । ତାକୁ ଏପରି ପାନେ ଦେବା ଯେ ଆଉ ପଦାରେ ମୁହଁ ଟେକି ବାଟ ଚାଲିବ ନାହିଁ ।

 

 

ନଟ–

ହଉ, କଣ ପାନେ ଦବୁ ?

ପାର୍ବତୀ–

ସାଆନ୍ତେ ! ଏ ମୋ ତତଲା ଇସ୍ତ୍ରୀକୁ ତା ଗୋଡ଼ ଭଣ୍ଡାରେ ଦି’ଚାରି ପଟା ଚିଆଁ ଦେଇ ଦିଏଁ ।

 

 

ନଟ–

ଠିକ୍ କହିଛୁ ପାର, ଠିକ୍ କହିଛୁ । ଏହି ଏକା ପାପର ପ୍ରାୟଶ୍ଚିତ । ସ୍ତ୍ରୀ ଲୋଭରେ ଧୋବାଘରେ ପଶିଥିଲା, ଇସ୍ତ୍ରୀ ପାଇ ଯାଉ । (ପାର ପାଣି ଗୋଡ଼ରେ ଇସ୍ତ୍ରୀ ମାଡ଼ିବା)

 

 

ଜଇ–

(ବ୍ୟାକୁଳେ) ମରିଗଲି ମରିଗଲି ।

ନଟ–

ମୂର୍ଖ ! ଏତିକିରେ ତୋ ପାପର ପ୍ରାୟଶ୍ଚିତ ତ ନାହିଁ (ପାର ପ୍ରତି) ପାର ! ତୋର ସେ ଗଧ କାହିଁ ? ଆଣିବୁଟି ସେଥିରେ ବସାଇ ସହର ବୁଲାଇବା ।

 

(ଜଇ ପାଣିକୁ ଟେକି ଗଧରେ ବସାଇବା ଓ ଗ୍ରାମବାସୀଗଣ ଦେଖି ଟାହି କରିବା)-

 

 

ଜଇ-

 

ଗୀତ

(ତାହାଭାବେ ମଜି–ବୃତ୍ତେ)

ଶିଖିଲି, ଶିଖିଲି ବାବୁ ଶିଖିଲି ଶିଖିଲି

ଚୋରି ନାରୀ ଫଳାଫଳ ପ୍ରତ୍ୟକ୍ଷ ଦେଖିଲି । ୧ ।

ତୁମ୍ଭେ ତ କରଣ ମୋତେ କର ହେ ତାରଣ ।

ଏଥୁଁ ନ ରଖିଲେ ମୋର ଗଲା ଏ ପରାଣ । ୨ ।

ପାପର ଯା ପରମାଦ ଲୁଚିବଟି କାହିଁ ।

ଭଣେ ଦୀନ ବାଳକୃଷ୍ଣ ଏ ରସରେ ଧ୍ୟାୟୀ । ୩ । (ପ୍ରସ୍ଥାନ)

————————

 

ତୃତୀୟ ଅଙ୍କ

ପ୍ରଥମ ଦୃଶ୍ୟ

ସୁଶୀଳା–

କଣ କରିବି, ବଇଦ ଘରକୁ ତ ଦଉଡ଼ି ଦଉଡ଼ି ଗୋଡ଼ରୁ ପାଣି ମଲାଣି । କେତେ ଔଷଧ ମୌଷଧ ଦେଲିଣି, କାହିଁରେ ତ ଘା’ଟା ମଳିନ ପଡ଼ୁନାହିଁ । ଦିନକୁ ଦିନ ମାତି ଉଠୁଛି । ପୂଜ ପାଣି ତ ସବୁବେଳେ ବୋହୁଛି, ଗନ୍ଧରେ ନାକ ଦେଇ ହଉନାହିଁ । ଏବେ ମାଇପି ଦି’ଟା କରୁ କଣ ? ବାଞ୍ଛୁ ଅବଧାନକୁ ପଚାରିଲି, ସେ ପ୍ରଶ୍ନ କାଢ଼ିଲେ । ସେ ପୋଡ଼ା ଘାଟା କ୍ରମେ ବାତଷ୍ଫୁଟ ରୋଗକୁ ପାଇଲାଣି । ସେପରି କୌଣସି ଗୁରୁତର ପାପ ଦୋଷରୁ ଘା ଶୁଖୁନାହିଁ । ଏ ନିଆଁଶିଆତ ରାଇଜଯାକ ପାପ ମୁଣ୍ଡେଇଛି । ଅଭକ୍ଷ ଭକ୍ଷିଛି । ଭଲା ମୋ କଥା ମାନନ୍ତା । ପ୍ରାୟଶ୍ଚିତ୍ତଟିଏ କରି ଦିଅନ୍ତି, ବିଧାତା ମୋତେ ମରଣ ହୁଅନ୍ତା ଭଲା । ମୁଁ ଏଗୁଡ଼ାକ ଦେଖନ୍ତି ନାହିଁ ।

 

 

ଗୋପାଳ–

(ପ୍ରବେଶ) ଆଈ ! ଆଜି ଗାଧୋଇ ଯିବୁ ନାହିଁ କି ? ବେଳ ପରା ଓଳିଏ ହେଲାଣି, କଣ ଭୋକ କରୁନାହିଁ ।

ସୁଶୀଳା–

ପୋଡ଼ି ଯାଉ ମୋ ଭୋକ ଶୋଷ, ପୋଡ଼ିଯାଉ ମୋ ଖିଆ ପିଆ, ପୋଡ଼ିଯାଉ ମୋ ଗାଧୁଆ ।

 

 

ଗୋପାଳ–

କକେଇ ନ ଥିଲାବେଳେ ଖାଇପିଇ ବାବାଆଦିମ୍ ବନିଯାଇଥିଲୁ । ଆଜି କାହିଁକି ଏମିତି କହୁଛୁ, କଣ ହେଲାକି ? ଏବେ କକେଇଙ୍କର କଣ ହେଉଛି ।

 

 

ସୁଶୀଳା–

ତୁ କକେଇକୁ ଦେଖିଲୁଣି; ସେ କି ଅବସ୍ଥା ହୋଇଛି ।

ଗୋପାଳ–

ହଁ, ଦାଣ୍ଡ ପୋଖରୀ ଘାଟରେ ବସି କଣ ଗୋଟାଏ ଲେଖୁଛନ୍ତି ।

 

 

ସୁଶୀଳା–

ହଁ, ସେଇ ଲେଖାରୁ ତ ଏତେ ସରି ହେଉଛି । ଯଦି ନାଟଲେଖିଲା, କି ସମାଜ ଲେଖିଲା, ଟିକିଏ ଆଗ ପଛ ବିଚାରି ଲେଖନ୍ତା, ଯାହା ମନକୁ ଆସିଲା ତା ଗୁଡ଼ାଏ ଲେଖିଗଲା । ୟା କଣ ମନୁଷ୍ୟର କର୍ତ୍ତବ୍ୟ ନା, କବି ହେବା ବାହାଦୂରୀ ଏଇଥିରୁ ଜଣା ପଡ଼ିବ । ଏଇଥିପାଇଁ ପୂର୍ବ ପୁରୁଷମାନେ କହି ଯାଇଛନ୍ତି, କବି ଚିତ୍ରକାରଙ୍କ କେଭେଁ ଏ ଭବୁ ପାରନାହିଁ ।

 

 

ଗୋପାଳ–

ଆଈ, ମୁଁ ବି କିଛି ଲେଖିବାକୁ ଇଚ୍ଛା କରୁଛି ।

ସୁଶୀଳା–

ଲେଖୁନାହୁଁ ! ସମସ୍ତେ ତ ଲେଖୁ ଲେଖୁ କରଣ ହୋଇଛନ୍ତି, ହୋଇଲେଣି, ହୋଇବେ, ହେବେ । ତୁ ଏବେ ବାକି ରହିବୁ କାହିଁକି ? କିନ୍ତୁ ତହିଁର ଫଳାଫଳ ତ ଆଗରେ ଦେଖୁଛୁ ।

 

 

ଗୋପାଳ–

କରଣ ବୋଲି ଗୋଟିଏ ଜାତି ଅଛନ୍ତି ପରା ?

ସୁଶୀଳା–

ଆରେ ସେ ତ ଫିଟେଇ ବସିଲେ ପୋଥିଏ ପାଠ । ସେ କରଣ ଜାତି କିପରି ହେଲେ, ତାଙ୍କୁ କରଣ କିଏ କଲା, ତାଙ୍କର ମୂଳ ଉତ୍ପତ୍ତି କେଉଁଠୁ ଜାଣୁ ?

 

 

ଗୋପାଳ–

ଆଈ ! କହ, କହ ସେ କରଣ କଥା ଶୁଣିବାକୁ ମୋର ଭାରି ଇଚ୍ଛା ବଳୁଛି ।

ସୁଶୀଳା–

ଦିନେ ତୋ ଅଜା ବି ବ୍ରହ୍ମପୁରାଣ ପଢ଼ୁ ପଢୁ ସେହି କରଣ କଥା ପଢ଼ିଲେ । ସେ ମୋତେ କେତେକ କଥା ବୁଝାଉଥିଲେ ଶୁଣ୍ ।

 

 

ଗୋପାଳ-

କି ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ କି ?

 

 

ସୁଶୀଳା–

ହଁ, ସେହି ବ୍ରହ୍ମବୈବର୍ତ୍ତ ପୁରାଣ ହବ ପରା । ଆଜିକାଲି ତ ପୁରାଣ ସବୁ ଭାଙ୍ଗି କିଏ କେତେ ରକମ ଲେଖିଲେଣି । ସବୁ କଥା କଣ ସବୁଥିରେ ମିଳି ପାରିବ । ଅଷ୍ଟାଦଶ ପୁରାଣମାନଙ୍କରେ ଯେ ସାର ଶ୍ରୀମଦ୍ଭାଗବତ, ତହିଁରୁ ପୁଣି ସୁଆଙ୍ଗ କହି ପରି ଗୂଢ଼ତତ୍ତ୍ୱଯାକ କାଢ଼ି ପକାଇ ବାର, ଚଉଦ ପଦରେ ଅଧ୍ୟାୟ ପାଠ କରିଦେଲେ । ଏ ସବୁ କୁଳବୁଡ଼ା କଥା । କିନ୍ତୁ ବୁଝି ରଖ, ଏପରି ପରଶ୍ରୀକାତର ଓ ଗର୍ହିତ କାର୍ଯ୍ୟ କେବେ କରିବୁନାହିଁ । ହଉ, ଯଦି ତୋତେ କୌଣସିଠାରେ ଅବସନ୍ଧି ପଡ଼େ, ମୋ ବାପଘର ଗାଁର ପୋଥି ଆଣି ଦେଖାଇ ଦେବି । ମୁଁ ଅଇଛିକା କଣ କହୁଥିଲି ? ହଁ; ପ୍ରଥମେ ସୃଷ୍ଟି ସର୍ଜନା କଲାବେଳେ ସମସ୍ତେ ଗୋଟିଏ ଜାତି, ତତ୍ପରେ କାର୍ଯ୍ୟ ନିର୍ବିଶେଷେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ଏହି ଚାରିଜାତି, ପୁଣି ଛତିଶ ପାଟକରେ ବିଭକ୍ତ ହେଲେ । ବ୍ରାହ୍ମଣ ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନ, କ୍ଷତ୍ରିୟ ରାଜ୍ୟ ରକ୍ଷଣ ଓ ପାଳନ, ବୈଶ୍ୟ ବାଣିଜ୍ୟ ଓ ଚାଷ, ଶୁଦ୍ର ଏମାନଙ୍କର ସେବାରେ ପ୍ରବୃତ୍ତ ହେଲେ । ମାତ୍ର କେହି ଲେଖାଲେଖିରେ ମନ ଦେଲେନାହିଁ । ସେଥିଯୋଗୁଁ ବିଷ୍ଣୁ ଭାବିଲେ, ଏ ସୃଷ୍ଟି ଅକାରଣ ହେଲା । ସେଥିଯୋଗୁ ନିଜ ବିରାଟ ଅଙ୍ଗରୁ ଏକ ପୁରୁଷ ଜନ୍ମକଲେ । ତାଙ୍କ ନାମ ଶ୍ରୀବତ୍ସକରଣ । ତାଙ୍କୁ ଉପରୋକ୍ତ ଚାରିଜାତିରୁ ଚାରୋଟି କନ୍ୟା ବିଭାଦେଲେ । ଯେ ବ୍ରାହ୍ମଣ ଔରସରୁ ଜନ୍ମ ହେଲା ସେ ନାଉଳି କରଣ । ତାଙ୍କର ନଅକର୍ମରେ ବ୍ରତ । ଯେ କ୍ଷତ୍ରିୟା ଗର୍ଭରୁ ଜନ୍ମ ସେ କରଣ ଶ୍ରୀକରଣ; ଯେ ବୈଶ୍ୟା ଗର୍ଭରୁ ଜନ୍ମ, ସେ କରଣ ଏ ସମସ୍ତଙ୍କ କ୍ଷେତି ମାହାନ୍ତି, ମହାନ୍ତି ।

 

 

ଗୋପାଳ–

ମହାନ୍ତି, ମାହାନ୍ତିର ପ୍ରଭେଦ କଣ ?

 

 

ସୁଶୀଳା–

ମହାନ୍ତି; ବ୍ରାହ୍ମଣୀ, କ୍ଷତ୍ରିୟା ବୈଶ୍ୟା ଗର୍ଭ ସମ୍ଭୂତ, ମାହାନ୍ତି ଶୂଦ୍ରାଣୀ ସମ୍ଭୂତ । ସେ ତ ଦରିଆଜାତି, ତାଙ୍କ ଜାତିର ଏଥିଯୋଗୁଁ ମୁଣ୍ଡ ନାହିଁ । ତାଙ୍କର କ୍ଷମତା, ତାଙ୍କର କାର୍ଯ୍ୟକଳାପ ୫ ସାଲ ବନ୍ଦୋବସ୍ତ ହବାଜରେ ମେଡ଼କ ସାହେବ କେତେକ ଲେଖିଛନ୍ତି । କଲମ ଯୋଉଁଠି ଚାଲିଲା ସେଠି ସେ ପଶିଯିବେ । ତାଙ୍କ ଜାତିରେ ଅବାଡ଼ ନାହିଁ (କରଣ କାରଣଂ କର୍ତ୍ତା ) ।

 

 

ଗୋପାଳ–

ଆଚ୍ଛା ସେ କଥା ଛାଡ଼, ମୁଁ ଯେ ସମାଜ ଲେଖିବି, କିପରି ଲେଖିଲେ ଜନସାଧାରଣ ମୋତେ ଆଦର କରିବେ ।

ସୁଶୀଳା–

ତୋର ତ ସେ ସମୟ ଆସିନାହିଁ । ବର୍ତ୍ତମାନ ପ୍ରଥମେ ନାଟିକାରୁ ଆରମ୍ଭ କର, ନାଟକରେ ପରେ ହସ୍ତ ଦେବୁ ।

 

 

ଗୋପାଳ–

ନାଟକ ନାଟିକାର ପ୍ରଭେଦ କଣ ?

ସୁଶୀଳା–

ନାଟକ–ନବାଙ୍କ, ତାହା ପୁଣି ନବରସ ଯୁକ୍ତ ହେବା ବାଞ୍ଛନୀୟ କିନ୍ତୁ ନାଟିକା ପଞ୍ଚାଙ୍କ, ଏଥିରେ ଷଡ଼ରସ ଥିବା ଦର୍କାର । ଏଥର ଯଦି ଗୀତ ବାନ୍ଧିବୁ ନାଟଦଳ କରିବୁ ତ ନିମ୍ନଲିଖିତ ପାଞ୍ଚ ଗୋଟି କଥା ମନେ ରଖିଥିବୁ । (୧) ଅମଜା ମଜା, (୨) ଅବୁଝା ବୁଝା, (୩) ମାଗୁର ମାଛର ଝୋଳ; (୪) ଯୁବା ସ୍ତ୍ରୀର କୋଳ, (୫) ହରିହରି ବୋଲ; ବୁଝିପାରୁଛୁ ।

 

 

ଗୋପାଳ–

କଣ କହୁ ନାହୁଁ ?

ସୁଶୀଳା–

ଅମଜା ମଜା ଅର୍ଥ ଅମଜାକୁ ଭଲକରି ମାଜ, ଅର୍ଥାତ୍ ପୁରାତନ କବି, ମନିଷୀମାନେ ଯେଉଁ ଗୀତ, ରାଗରାଗିଣି କରି ଯାଇଛନ୍ତି, ତାକୁ ପୁନରାବୃତ୍ତି କର । ସେ ଠିକ୍ କଂସା । ତାର ମୂଲ୍ୟ ସବୁଦିନେ ଟାଣ ଓ ତାର ଆବାଜ ସଦାକାଳେ ଟାଏଁ ଟାଏଁ । ଏ ଗିଲ୍‌ଟି ବାସନର ଚାକଚକ୍ୟରେ ମାତନା ।

 

 

ଗୋପାଳ–

ଆଈ ! ଗିଲିଟି ବାସନ କଣ ?

 

 

ସୁଶୀଳା–

ଆଜିକାଲିକାର ପ୍ରସିଦ୍ଧ କବିମାନଙ୍କର ଯେଉଁ ସବୁ ନୂଆ ଗୀତ ହୋଇଛି, ତା ଗିଲିଟି ବାସନ ପରି ହେଲାଣି । ଲୁଣ ପଡ଼ିଲେ କଣା, ଅର୍ଥାତ୍ ୪ ମାସରେ ପୁରୁଣା । ଅଧଲାଟାକୁ ଯୋଗ୍ୟ ନୁହେଁ । ଦେଖିଲୁ, ‘କଳାକଳେବର କହ୍ନାଇ’ ସେ ଗୀତ କେତେ କାଳର, ତାର ସୁର, ସେ ଗୀତ ଲୋପ ହେଲାଣି କି ? ସେ ସବୁଦିନେ ନୂଆ । ଆଜିକାଲି ଯେ ତାକୁ ମାଜୁଛି, ସେହି ମହତ ଲୋକ । ତାଠାରୁ ଉପଦେଶ ନେ, ଓଡ଼ିଶାର ପୂର୍ବ ଗୌରବ ବଜାୟ ରଖ ।

 

 

ଗୋପାଳ–

ତେବେ ଅବୁଝା ବୁଝା କଣ !

ସୁଶୀଳା–

ଏତକ ବୁଝି ପାରୁନାହୁଁ, ବୁଝିଲା ଲୋକ ତ ଶାସ୍ତ୍ର ପୁରାଣ ପଢ଼ି ବୁଝୁଛନ୍ତି, ତାଙ୍କୁ କଣ ବୁଝାଇବୁ ? ଯେଉଁମାନେ ନ ବୁଝୁଛନ୍ତି, ସେମାନଙ୍କପାଇଁ ଗୀତଗୁଡ଼ିକର ଅର୍ଥ ସରଳ ଭାବରେ ତନ୍ନ ତନ୍ନ କରି ବୁଝାଇ କ୍ରମଶଃ ଜଟିଳକୁ ନେ ।

 

 

ଗୋପାଳ–

ଆଚ୍ଛା, ମାଗୁର ମାଛର ଝୋଳ କଣ ?

ସୁଶୀଳ–

ନିତ୍ୟାନନ୍ଦ ମହାପ୍ରଭୁ କହିଲେ, କଳିଯୁଗରେ କଳିର ପ୍ରଭାବରୁ ସମସ୍ତେ ମାଛ ଝୋଳ, ସ୍ତ୍ରୀ କୋଳରେ ମାତୁଛନ୍ତି, ହରିନାମାମୃତ ପାନ କରୁନାହାନ୍ତି । ଏଥିଯୋଗୁଁ ହରିବୋଲ ବୋଲିବା ପୂର୍ବରୁ ଏ ଦିଓଟି ସମସ୍ତଙ୍କ ତୁଣ୍ଡକୁ ଶୀଘ୍ର ଆସିବ । ତା ସହିତ ଦେଲେ ମୁହଁରେ ହରିବୋଲ କହିଦେବେ । ଯାତ୍ରାକର, ଥିଏଟର କର, ସବୁଥିରେ ଶେଷ କଥା ହରିବୋଲ ଥିବ । ତେବେ ଖାଲି ହରିକଥା ଗାଇଲେ ସମସ୍ତଙ୍କର ତୃପ୍ତି ଆସିବ ନାହିଁ । ଏଥି ନିମିତ୍ତ ମାଗୁର ମାଛ ଝୋଳ ଅର୍ଥାତ୍ ଫାର୍ଶ, ନବ ଯୁବା ସ୍ତ୍ରୀ କୋଳ ଅର୍ଥାତ୍ ଆଦିରସର ସମ୍ୟକ୍ ଚର୍ଚ୍ଚା ହେବା ଆବଶ୍ୟକ । ବୁଝିଲୁ ?

 

 

ଗୋପାଳ–

ଆଈ, ଆଉ ଆଉ କବିମାନଙ୍କର ଶବ୍ଦ ପଦ ମୋ ବହିରେ ରଖିବି ନାହିଁ ।

ସୁଶୀଳା–

ତୋର ଏତକ ଜ୍ଞାନ ହୋଇ ନାହିଁ, କିରେ ତୋ ଗୀତ କଣ ? ସେ କଣ କାହାର କିଣା ଖରିଦା ଗଣ୍ଠିଧନ କି ? ସେ ତ ଅନନ୍ତ, ତାର ସୀମା ନାହିଁ, ହିତୋପଦେଶରେ ଅଛି –

 

‘‘ଅନନ୍ତ ପାରଂକିଳ ଶବ୍ଦଶାସ୍ତ୍ରଂ

ସ୍ୱଳ୍ପସ୍ତଥାୟୁ ର୍ବହବଶ୍ଚ ବିଘ୍ନାଃ

ସାରଂ ତତୋ ଗ୍ରାହ୍ୟମପାସ୍ୟ ଫଲଗୁ-

ର୍ହଂସୋ ଯଥା କ୍ଷୀର ମିବାମ୍ବୁମଧ୍ୟାତ୍’’

 

ସାଗର ମନ୍ଥନ କରି ମହାନ୍ ମହାନ୍ କବି, ପଣ୍ଡିତମାନେ ସଂସାରରେ ଗୋଟିଏ ସଙ୍ଗୀତର ଉପବନ ଥିବାର ସ୍ଥିର କରିଯାଇଛନ୍ତି। କବି ଅର୍ଥାତ୍ ମାଳାକାର କିଏ କାହାର ଶିକ୍ଷାନୁଯାଇ ଉପବନରୁ ଫୁଲ ଛିଣ୍ଡାଇ ହାର ଗୁନ୍ଥି ବିକୁଛି, ତୁ ବା ଯାଇ ଉପବନରୁ ଫୁଲ ଛିଣ୍ଡାଇ ହାର ଗୁନ୍ଥି ତୋଳି ନ ଜାଣି ଝଡ଼ିଲା ପଡ଼ିଲା ଗୋଟାଇ ଆଣି ହାର କରି ବିକିବୁ; ତେବେ ଉଭୟେର ମାଳାକାର ପଦବାଚ୍ୟ । ଏଥିନିମିତ୍ତ କଦାପି ପରଶ୍ରୀକାତର ହେବୁନାହିଁ । ସେ ସାରା ସଂସାରପାଇଁ ।

 

 

ଗୋପାଳ–

ଗୀତ ତ ବାନ୍ଧିବି ନଚେଇବି କିପରି ?

ସୁଶୀଳା–

କିରେ ! ନାଚିବା କିଛି ଆଜି ନୁହେଁ, ଓସ୍ତାତ୍ ରଖି ନାଚିବା ତ ତେଣିକି ଥାଉ, ଜଗତରେ କିଏ ନ ଜାଣେ, ଯେତେବେଳେ ମନୁଷ୍ୟ ଜନ୍ମ ହୋଇ ଶୈଶବାବସ୍ଥାରେ ଉପଗତ, ସଂସାର କଣ ଜାଣେ ନାହିଁ; ତେତେବେଳେ ମା ପୁଅକୁ ଧରି ‘‘ଧେଇକି ନାଟ, ଚାଇକି ନାଟ, ତା ଧେଇ ଧେଇ ଧେଇକି ନାଟ’’ ଶିଖାଇ ଥିଲା କି ନାହିଁ କହିଲୁ ?

 

 

ଗୋପାଳ–

ଆଈ ! ହେଇଟି ତ କକେଇ ଆସିଲେଣି, ଗୋଡ଼ଟା ଏତେ ସରି ହୋଇଛି । କାହିଁକି ସେ ୟାଡ଼େ ସାଡ଼େ ହେଉଛନ୍ତି ?

ଜଇ–

(ପ୍ରବେଶି) କିଏ ଗୋପାଳ ! ଏଇଠି ଆସି ବସିଛୁ, ତୋ ନନା ଡାକୁଛି ଯା (ଗୋପାଳର ପ୍ରସ୍ଥାନ) ବୋଉ ଖଣ୍ଡେ କନା ଦବୁଟି ?

ସୁଶୀଳା–

ହଉ ଚାଲ ବଇଦ ଘରୁ ଯୋଉ ମଲମ ଆଣିଛି ଲଗାଇ କନା ଗୁଡ଼ାଇବୁ ଚାଲ । (ପ୍ରସ୍ଥାନ)

 

 

ଦ୍ୱିତୀୟ ଦୃଶ୍ୟ

(କଣ୍ଡୁରୀ ମିଶ୍ରେ, ଶମ୍ଭୁ ଷଡ଼ଙ୍ଗୀ, ନାରଣ ନନ୍ଦ ଓ ରାମ ବାରିକ)

କଣ୍ଡୁରି ମିଶ୍ରେ–

ହଇ ହେ ଶମ୍ଭୁଆ ନନା ! ପାପ ଗୋଟିଏ ଜିନିଷ, ତାକୁ ଯେତେ ଘୋଡ଼ାଇଲେ ସେ ନିଶ୍ଚୟ ଫୁଟି ବାହାରି ପଡ଼ିବ ।

ଶମ୍ଭ–

ଭାଇନନା ! ଜଗତରେ ଯଦି ତାହା ନ ହେଉଥାନ୍ତା, ଲୋକେ ତ କଣ ନାଇ କଣ କରି ଯାଉଥାନ୍ତେ ।

 

 

ରାମା–

ଠିକ୍‌ ଠିକ୍ ଆଜ୍ଞା ! ପାପ କେଲେ ଲୁଚିବ ନାହିଁ ।

ନାରଣ–

ଜଇ ପାଣି ଯୋଉ ଭୁରୁଡ଼ାଉଥିଲା, ଖାଲି ସେ ବ୍ୟାଧି ସିନା ତାକୁ ଅକଳରେ ପକାଇ ଦେଲା ।

 

 

ଶମ୍ଭୁ–

ହଁ ହେ, ସେ ଭୁରୁଡ଼େଇବ କଣ ? ମୁଁ ତା ବାପକୁ ଦେଖିଲି, ତା ଅଜାକୁ ଦେଖିଲି, ତାକୁ ଦେଖିଲି । ଯେତେହେଲେ ତ ମଢ଼ିଆ ବ୍ରାହ୍ମଣ । ତା ବାପ ଅଜା ମୃତ୍ୟୁଶଯ୍ୟା ଦାନପାଇଁ ଦଶକୋଶ ବାଟ ଯାଉଥିଲେ, ଆଉ କରଣ ମହାଲାଏକଙ୍କ ବିଭାଘରେ ଘିଅଠେକି ଘେନି ଯାଉଥିଲେ । ଏ ପରା ଜଇପୁର ଦଇତ୍ୟାରି ମହାନ୍ତିଙ୍କ ଆଖଡ଼ାରେ ରହି ସଙ୍ଗୀତ, ବନ୍ଧ ଶିଖି ନାକଫୋଡ଼େଇ ଗୋଟିପୁଅ ବେଶ ହୋଇ ତା ବିଭାବେଳେ ପାଲଙ୍କି ପାଖରେ ନାଚୁଥିଲା । ସେକଥା କଣ ଏଡ଼େ ବେଗି ପାସୋର ଗଲାଣି, ଏବେ ଚାରି ଅକ୍ଷର ପଢ଼ି ଆଡ଼ୁସାଢ଼ୁ ଲେଖୁଛି ବୋଲି ନବାବ, ମଣିଷ ଚିହ୍ନୁ ନାହିଁ ?

 

 

କଣ୍ଡୁରି–

ମୁଁ ଦୁନିଆରେ କେତେ ପାପକଥା ଶୁଣିଛି ଏ ଜଇପାଣି ଯେଉଁ ପାପଗୁଡ଼ା ପ୍ରକାଶ କଲା, ଓହୋଃ....ଭଗବାନ୍...କହନା ।

 

 

ରାନା–

ନା ନା ! ସେ ତ ପଛକଥା, ସ୍ତ୍ରୀଟାକୁ ଯାହା ଭସାଇଲା ।

 

 

ନାରଣ–

କଣ ହେବ, ସେ ଏକା ଠିକ୍ ନେକଯାଦ୍ ଘରର ଝିଅ । ତା ନ ହେଲେ ୟାର ଟେକତକ ସରନ୍ତାଣି । ତାରି ନିଶ୍ୱାସରୁ ସିନା ୟାର ଏତେ ଅବସ୍ଥା, ତୁ ଆଉ କଣ ଭାବିଛୁ କି ?

 

 

କଣ୍ଡୁରି–

ଶମ୍ଭୂଆ ନନା ! ବେଳ ଉଛୁର ହେଉଛି, ଆଜି ପରା ଶେଷ କାମଟା ହେବ । ପଣ୍ଡିତେ କଣ କରିବାକୁ କହିଛନ୍ତି ?

ଶମ୍ଭୂ–

ଚାଲ, ଜାଗା ଉପରେ ଦେଖାଯିବ । ରାମା ! ତୋର ସରଞ୍ଜାମ ସବୁ ଠିକ୍‌କରି ରଖିଛୁ ତ ?

 

 

ରାମା–

ହ ଆଜ୍ଞା (ପ୍ରସ୍ଥାନ)

————————

 

ତୃତୀୟ ଦୃଶ୍ୟ

ଜଇ–

ବୋଉ ମରିଯିବି ।

ସୁଶୀଳା–

ମରିବା ବୁଦ୍ଧି ତ କଲୁ, ମୁଁ କରେ କଣ, ଟିକିଏ ପଣା ଖାଇବୁ ?

 

 

ଜଇ–

(ମୁଖ ବିକଟ ସ୍ୱରେ) ଉଁ, ହୁ କିଛି ଖାଇବି ନାହିଁ ।

 

 

କମଳା–

(ସ୍ୱଗତ) ଭଗବାନ୍ ! ସଂସାରରେ ନାରୀଜାତିର ଜନ୍ମ ସତ୍ୟ, ଦୁଃଖ କଣ ତାଙ୍କରିପାଇଁ । ମୁଁ ପୂର୍ବଜନ୍ମରେ କି ପାତକ କରିଥିଲି ଯେ ଏ ଜନ୍ମରେ ଏତେ କଷ୍ଟ, ଏତେ ମର୍ମନ୍ତୁଦ ବେଦନା ସହ୍ୟକରି ସୁଦ୍ଧା ତିଳେମାତ୍ର ସୁଖଶାନ୍ତି ପାଉନାହିଁ । ସ୍ୱାମୀ ପାଖରେ ନ ଥାଇ ଯେଉଁ ଦୁଃଖ, ପାଖରେ ଥାଇ ସୁଦ୍ଧା ତତୋଽଧିକ । (ପ୍ରକାଶ୍ୟେ) ଖାଇବ ନାହିଁ ତ କଣ ଖାଲି ଖାଲି ଦିହଟା ଶୁଖାଇଲେ ପାପ ଛାଡ଼ିଯିବ କି ରୋଗ ହଟିଯିବ ନା ପ୍ରବଳ ହେବ । ଯଦି ବେଳହୁଁ ଜଗି ବୁଝି ନିଜର ସୀମା ନ ଲଘିଂଥାନ୍ତ ତ ବର୍ତ୍ତମାନ କାହିଁକି ନିଜେ ଦହଗଞ୍ଜ ଓ ସାଙ୍ଗରେ ଆମ୍ଭମାନଙ୍କୁ ଦହଗଞ୍ଜ କରାଇ ଥାନ୍ତ ?

 

 

ଜଇ–

ନ କରିବୁ ତ ନାହିଁ, ଏତେ ବକୁଛୁ କାହିଁକି ? ସେମିତି ହେଲେ ମୋ ଘରୁ ବାହାର-?

କମଳା–

‘‘ଉଠି ନ ପାରେ ବର, ଧରାଧରି ବାହାକର’’ କୋଉଥିପାଇଁ ଏତେ ଚାତର ମ । କାହିଁ ଏତେବେଳେ ସେ ସାଙ୍ଗ ସବୁ କୁଆଡ଼େ ଗଲେ, ଆସି ସାହା ହେଉ ନାହାନ୍ତି-? ଏଇଥିପାଇଁ କଥାରେ ଅଛି, ‘‘ସମ୍ପଦେ ନୋହିବ ଚାତର, ବିପଦେ ନ ହେବ କାତର ।’’

 

( ବ୍ରାହ୍ମଣମାନେ କର୍ମରେ ବସି )

 

 

ଶମ୍ଭୂ–

ଜଇଆ ମା, ତୋ ପୁଅକୁ ଓ ସେ ତାଲିକାଟି ଆଣ, ଆଜି ଶେଷ କାର୍ଯ୍ୟଟା ହୋଇଯିବ ।

ସୁଶୀଳା–

(ତାଲିକା ଦେଇ) ଆପଣେ ! ପୁଅ ମୋର ଡରୁଛି ।

 

 

ନାରଣ–

ଯେତେବେଳେ ପାପ କରୁଥିଲା, ମିଠା ଲାଗୁଥିଲା ।

କଣ୍ଡୁରୀ–

ଆଚ୍ଛା ତାଲିକା ପଢ଼ ।

 

 

ଶମ୍ଭୁ–

(ତାଲିକା ପଢ଼ିବା)

ନାରଣ, କଣ୍ଡୁରୀ–

ଥାଉ ଥାଉ । ମନୁ ପରାଶର ମତାନୁଯାୟୀ ପାପକୁ ପ୍ରାୟଶ୍ଚିତ୍ତ କୃଚ୍ଛ୍ର ଚାନ୍ଦ୍ରାୟଣ ବ୍ରତ ଓ ପାପୀର ସର୍ବାଙ୍ଗରେ ଝୋଟ ଗୁଡ଼ାଇ ଅଗ୍ନି ସଂଯୋଗ କରିବା ।

 

 

ଜଇ–

ଓ ହୋଃ, ମରିଯିବି ମରିଯିବି । ଆଉ ଏପରି କାର୍ଯ୍ୟ କେବେ କରିବି ନାହିଁ ।

 

 

ସୁଶୀଳା–

ମିଶ୍ରେ ! ମୁଁ କଣ କରିବି, କେତେ ବୁଝାଇଲି, ଜଇ ତ ସବୁ ବିଷୟରେ ବଳି ପଡ଼ିଲା-। ଅତି ଟା ସବୁଠାରେ ଖରାପ ସିନା । ଆଉ ସବୁ କଥା ଯାହା ହେଉ, ଯାହାଘରୁ ଖାଇ ବଞ୍ଚୁଥେଇଁ, ତାହାର ନିନ୍ଦା ଗାଇଲା । ଯାହାର ଖାଇ ତାର ଗାଇ ସିନା, ଯାହାର ଖାଇ ତାର ନିନ୍ଦା ଗାଇଲା । ଏହି ହେତୁ କେତେ କେତେ ଲୋକ ଏହି ମଧ୍ୟରେ ଧକ୍‌କା ଖାଇ ଯାଇଛନ୍ତି ।

 

 

କଣ୍ଡୁରି–

ଛି, ଛି, ଛି, ଏହା ବ୍ରାହ୍ମଣର କାର୍ଯ୍ୟ ନୁହେଁ । ବ୍ରାହ୍ମଣ ସମସ୍ତଙ୍କୁ ସମାନ ଦେଖେ, ସେହି ହେତୁ ସେ ସବୁଠାରୁ ଶ୍ରେଷ୍ଠ ବୋଲାଏ । ଆଜି ଓଡ଼ିଶାରେ ସର୍ବନାଶ ହୋଇଛି ଏଇଥିପାଇଁ । କାହିଁ ଭଞ୍ଜକବି, କାହିଁ ରବି କବି, କାହିଁ ସାମନ୍ତସିଂହାର, କାହିଁ ରାୟ ରାଓ, କାହିଁ ମେହେର, ମାହାନ୍ତି, ଆଜି କେତେକ ବିଖ୍ୟାତ ଓ ପ୍ରସିଦ୍ଧ ସୁଆଙ୍ଗ ଫାର୍ଶ ଲେଖକ କବି ବାହାରି ଓଡ଼ିଆ ସାହିତ୍ୟରେ ଆବର୍ଜ୍ଜନା କରୁଛନ୍ତି, ତୁମ୍ଭେ ପୁଣି ବ୍ରାହ୍ମଣ । ଏଥିକି ଆଉ କଣ କଳଙ୍କ ଅଛି, ବାବୁ ପାଣି ! ସେ ଗୁଡ଼ା ଛାଡ଼ । ତୁମ୍ଭର ଆଗକୁ ବା ପଛକୁ କେହି ନାହିଁ । ତୁମ୍ଭଠାରୁ ସବୁ ଶେଷ । ସମସ୍ତଙ୍କୁ ଏକ ଭାଇ ଭଗ୍ନୀ ବୋଲି ଦେଖ, କୌଣସି ଭାଇ ଭଗ୍ନୀର ନିନ୍ଦା କରନାହିଁ । ପର ପୁଅକୁ ନିଜର ପରି ଦେଖ, ତହିଁରେ ମୁକ୍ତି ଅଛି । ପର ନିନ୍ଦା ମିଥ୍ୟାରେ ଗାଇବାଟା କେବଳ କାପୁରୁଷର କାର୍ଯ୍ୟ । ଯେତେଦିନ ସାଦରେ ତୁମ୍ଭେ ସମସ୍ତଙ୍କୁ ଭାଇ ଭଗ୍ନୀ ବୋଲି ସ୍ନେହ ସମ୍ଭାଷଣ କରିବନାହିଁ, ସେ ପର୍ଯ୍ୟନ୍ତ ତୁମ୍ଭେ ମନୁଷ୍ୟ ପଦବାଚ୍ୟ ହୋଇ ପାରିବ ନାହିଁ, ବାବୁ ! ପବିତ୍ର ଚରିତ୍ର ଗଠନ କର, ମାତୃଭାଷାର ଉନ୍ନତି କର, ଭାଇ ଭାଇ ମିଶି ମାତୃଭୂମିର ସେବା କର । ଶେଷକୁ ଏହି ପବିତ୍ର ବ୍ରାହ୍ମଣ ଜାତିର ଉନ୍ନତି କର । ତୁମ୍ଭର କିଛି ନୁହେଁ, ଓଡ଼ିଆ ଦେଶ, ଓଡ଼ିଆ ଭାଷା ଏହା ଗୋଟିଏ ଜାତିର ସମ୍ପତ୍ତି । ଯାହାର ଯାହା ଶକ୍ତି ଦେଶ ସେବା କରିଯାଅ, ଜଗନ୍ନାଥ ତୁମ୍ଭର ମଙ୍ଗଳ କରିବେ ।

 

(ବ୍ରାହ୍ମଣଗଣ ଜଇକୁ ଝୋଟ ଗୁଡ଼ାଇ ଅଗ୍ନି ସଂଯୋଗେ ଉଦ୍ୟତ)

 

 

ଜଇ–

ଏଇଥର ଶିଖିଲି, ଏଇଥର ଜାଣିଲି, ଏଇଥର ବୁଝିଲି । ମଦ ଖାଇବି ନାହିଁ, ବେଶ୍ୟାରତ ହେବି ନାହିଁ, ଅଭକ୍ଷ ଭକ୍ଷିବି ନାହିଁ, ପରଶ୍ରୀକାତର ହେବି ନାହିଁ କି ଅର୍ଥ ଲୋଭରେ ପଡ଼ି ଆଡ଼ୁ ସାଡ଼ୁ ଯା ଇଚ୍ଛା ତାଇ, ଲେଖି ସଂସାରକୁ କୁଶିକ୍ଷା ଦେଇ ସାହିତ୍ୟର ଅଙ୍ଗହାନି କରିବି ନାହିଁ । ଲୋକ ଆସିଛି ଏକା, ଯିବ ଏକା । ରହିବ କେବଳ ଭଲ ମନ୍ଦ ଦୁଇଟାରୁ ଗୋଟାଏ । ଏ ସଂସାରରୁ କେହି କିଛି ନେଇ ନାହିଁ କି ନେବ ନାହିଁ । ଈଶ୍ୱର ବୋଲି ଜଣେ ଅଛନ୍ତି, ସେ ଦୁଷ୍ଟ ନିବାରକ, ସନ୍ଥଜନ ପାଳକ । ସେ ଗର୍ବୀର ଗର୍ବ ଅହଂକାରୀର ଅହଂକାର ଚୂର୍ଣ୍ଣକରି ସଦ୍ୟ ଫଳ ଦେଇ ଦିଅନ୍ତି । ସେଥିନିମିତ୍ତ ମୋର କଲା କର୍ମର ଫଳାଫଳ ଦେଖି ଦୁନିଆ ସତର୍କ ହେଉ, ଶିଖୁ ଯେ ଈଶ୍ୱରଙ୍କ ପାଦପଦ୍ମ ବ୍ୟତୀତ ଅନ୍ୟ କାହିଁରେ ମୁକ୍ତି ନାହିଁ-। ହରେକୃଷ୍ଣ, ହରେକୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ ।

 

 

 

( ବେଦବାକ୍ୟ ଦ୍ୱାରା ଜଇକୁ ସାମାନ୍ୟ ଅଗ୍ନି ସଂଯୋଗ ଓ ମନ୍ତ୍ରଜଳ ସେଚନ )

(ଯବନିକା ପତନ)

————————